Unknown

 

 

 

 

 

 

 

 

 

ବିବେକୀ

କବିବର ରାଧାନାଥ ରାୟ

 

ମନୁଷ୍ୟକୁ କେତେ କଷ୍ଟ, ଶୋକ, ଅଭାବ ସହ୍ୟ କରିବାକୁ ହୁଏ, ତାହାର କଳନା କିଏ କରିବ ? ମନୁଷ୍ୟକୁ କେତେ ଦୁର୍ଦୈବର ଅଧୀନ ହେବାକୁ ହୁଏ, କିଏ କଳିବ ? ଏଣୁ ଯେ ପ୍ରବନ୍ଧ ତାହାର ମନର ଆର୍ତ୍ତି ଫେଡ଼ିପାରେ, ଏପରି ପ୍ରବନ୍ଧରେ ସମସ୍ତଙ୍କର ଆସ୍ଥା ହେବାର ଦିଶୁଅଛି । ଘୋର ବର୍ଷା, ଘରକାନ୍ଥ ପାଣି ଛାଟରେ ଖସିପଡ଼ୁଅଛି, ବାୟୁ ବେଗରେ ବହୁଅଛି । ସେପରି ପ୍ରବନ୍ଧ ଲେଖିବାପାଇଁ ଏ ଅନୁକୂଳ ଦିନ ଅଟେ; କେତେଗୁଡ଼ିଏ ଗୃହସୁଲଭ ସୁଖ ଥିଲେ ଏପରି ଝଟିକା କଷ୍ଟଦାୟକ ବୋଲି ପ୍ରତୀୟମାନ ହୁଏ ନାହିଁ, ବରଂ ସୁଖକର ବୋଧହୁଏ ।

 

ଆତ୍ମାକୁ ମଧ୍ୟ ଅନେକ ଝଟିକା ସହିବାକୁ ହୁଏ । ଝଟିକା କେବଳ ଭୌତିକ ସଂସାରରେ ଅଛି, ଏମନ୍ତ ନୁହେ । ଆଧ୍ୟାତ୍ମିକ ସଂସାରରେ ଅଛି, ଏମନ୍ତ ନୁହେ। ଆଧ୍ୟାତ୍ମିକ ସଂସାରରେ ଏପରି ଝଟିକା, ଏପରି ପ୍ରବଳ ଝଟିକା ଥରକୁ ଥର ଘଟିଅଛି ଓ ଘଟୁଅଛି । କେତେଗୁଡ଼ିଏ ପୋଥି ଆମ୍ଭ ପାଖରେ ସହଚର ପ୍ରାୟ ଥା’ନ୍ତି । ଏମାନଙ୍କ ପ୍ରାୟ ବିପଦ୍ବନ୍ଧୁ ମିଳିବାର ଦୁଷ୍କର ଅଟେ । ଏମାନେ ଭୌତିକ ଝଟିକାର କଷ୍ଟ ନିବାରଣ କରନ୍ତି; ଆଧ୍ୟାତ୍ମିକ ଝଟିକାର କଷ୍ଟ ନିବାରଣ କରନ୍ତି । ଝଡ଼ି ବର୍ଷା ବେଳେ ବାହାରିନପାରିଲେ ଏମାନଙ୍କ ସଙ୍ଗେ ଆଳାପ କରି ଚିତ୍ତର ସୁଖ ଉପୁଜେ । ଅଶ୍ରୁବର୍ଷା ବେଳେ ମଧ୍ୟ ଊଣା ସାନ୍ତ୍ୱନା ମିଳେ ନାହିଁ । ପାଠକ ! ମୁଁ ଯେଉଁ ସୁଖ ଲଭୁଅଛି, ତୁମ୍ଭେ ସେଥିରେ ଅଂଶୀ ହେବ ? ଏହାକୁ ସୁଖ ମଣ, ଅଂଶୀ ହେଲେ ମୋ ସୁଖ ବଢ଼ିବ ।

 

ପୋଥିଗୁଡ଼ିକ ଉପରେ ଆଖି ପଡ଼ିଲା କ୍ଷଣି କେତେ ଇଷ୍ଟ ବ୍ୟକ୍ତି ଏକାବେଳକେ ସ୍ମୃତି ଅଗଣାରେ ଆବିର୍ଭୂତ ହୁଅନ୍ତି । ଏମାନେ ମନୁଷ୍ୟର ପରମ ମିତ୍ର ଅଟନ୍ତି । ବିପନ୍ନ ବ୍ୟକ୍ତିର ନିର୍ବେଦ ଊଣା କରିବାପାଇଁ ଏମାନେ କେମନ୍ତ ତେଜସ୍କର, କେମନ୍ତ ସାରବାନ୍ କଥାଗୁଡ଼ିଏ କହିଅଛନ୍ତି ! ପଢ଼ିଲା କ୍ଷଣି ତୁମ୍ଭେ ଭାବିବ, ଏମାନେ କିଛି ଛାଡ଼ି ନାହାନ୍ତି। ମାତ୍ର ତାହା ନୁହେ, ଯେତେ ଚଷା ହେଉ ପଛକେ, ମନୁଷ୍ୟ ହୃଦୟରେ ପଡ଼ିଆ ଜମିର କେବେହେଁ ଅଭାବ ନାହିଁ ।

 

କେତେକ ଲୋକ ଅଛନ୍ତି, ସେମାନେ ମଣନ୍ତି ଯେ ସହସ୍ର କଷ୍ଟ, ସହସ୍ର ଦୁର୍ଦୈବ ଘଟିଲେ ସୁଦ୍ଧା ସେମାନେ କାତର ହେବେ ନାହିଁ, ସେମାନଙ୍କର ଧୈର୍ଯ୍ୟ ସେମାନଙ୍କୁ ସମ୍ଭାଳିନେବ । କେତେକ ଲୋକ ଅଛନ୍ତି, ସେମାନେ ମଣନ୍ତି ଯେଡ଼େ ପ୍ରଲୋଭନ ହେଉ ପଛକେ କାହିଁରେ ହିଁ ସେମାନଙ୍କର ମନ ବିଚଳିତ ହେବ ନାହିଁ । ପରୀକ୍ଷା ଆଗେ ଏପରି ଦମ୍ଭ, ଏପରି ଆତ୍ମପ୍ରତ୍ୟୟ ଭଲ ନୁହେ । ଏହି ଦମ୍ଭ ଏହି ଆତ୍ମପ୍ରତ୍ୟୟର ହେତୁ କ’ଣ ? ସମସ୍ତେ ମନେକରନ୍ତି, ‘‘ମୋର କ’ଣ ବୁଦ୍ଧି ନାହିଁ ? ସେମାନଙ୍କର କ’ଣ ବୁଦ୍ଧି ନାହିଁ ? ବୁଦ୍ଧି ଘେନି କାର୍ଯ୍ୟ କଲେ ଏପରି କିପାଇଁ ଘଟିବ, ସେମାନେ କାହିଁକି ବିରକ୍ତ ହେବେ ?’’ ନୂଆ ଲୋକେ କୌଣସି କାର୍ଯ୍ୟରେ ହସ୍ତ ଦେଲାମାତ୍ରେ ଭାଳନ୍ତି, ‘‘ଏହା କରିବା ଅବଶ୍ୟ ଉଚିତ, ମୁଁ ଏହା ଅବଶ୍ୟ କରିବି, ଯେ ଯାହା କହୁ ପଛକେ ପ୍ରକୃତ ମାର୍ଗ ଅନୁସରି ଅବଶ୍ୟ ଚଳିବି ।’’ କେତେଦିନ କାର୍ଯ୍ୟ କଲା ଉତ୍ତାରେ ମନରେ ଆନ ଭାବର ସଞ୍ଚାର ହୁଏ । କୌଣସି ନୂଆ ଲୋକକୁ କୌଣସି ଔଚିତ୍ୟ ହୃଦୟଙ୍ଗମ କରାଇଦିଅ, ସେ ସେକ୍ଷଣି ଉତ୍ତର ଦେବ ‘‘ହଁ ପ୍ରମାଣ, ମୁଁ ଏପରି କରିବି ।’’ ମହାନ୍ ଲୋକମାନେ ଯେବେ କୌଣସି ଅଭ୍ୟାସ ଛାଡ଼ିନପାରନ୍ତି, ନୂଆ ଲୋକ ତାହା ଦେଖିବାକ୍ଷଣି ଅଧୀର ହୁଅନ୍ତି । ‘‘ଏହି ସାମାନ୍ୟ ବିଷୟ ଏହାଙ୍କ ଦେହି ହେଉନାହିଁ!’’ କଳ୍ପନା-ସଂସାରରେ ବିପତ୍ ମୂର୍ତ୍ତି ଅବଲୋକନ କରି ନୂଆ ଲୋକେ ପାଞ୍ଚନ୍ତି, ‘‘ଏହି ସିନା, ଏହା କ’ଣ ମୋ ଦେହି ହେବ ନାହିଁ ? ଏ ଅନର୍ଥ କାହିଁକି ଘଟିବ ? ଘଟିଲେ ସୁଦ୍ଧା ଏହାକୁ ଅତିକ୍ରମ କରିବା କଠିନ ନୁହେ ।’’ ନୂଆ ଲୋକେ ପିଲା ପରି, ବସ୍ତୁତଃ କାର୍ଯ୍ୟରେ ପିଲା ସିନା । ପିଲାମାନେ ଯେପରି ପାଞ୍ଚନ୍ତି, ନୂଆ ଲୋକେ ସେହିପରି ପାଞ୍ଚନ୍ତି । କାଦୁଅରେ ଆଠ ଦଶ ଥର କଚାଡ଼ି ନ ପଡ଼ିଲେ ସେମାନେ ଚେତନ୍ତି ନାହିଁ । ଚେତିଲା ଉତ୍ତାରୁ ଦେଖନ୍ତି, ବିଷୟ, ପରିବାର, ସଂସାର ସମ୍ଭାଳିବାଠାରୁ ଆପଣା ଚିତ୍ତକୁ ସମ୍ଭାଳିବା ଦୁଷ୍କର ଅଟେ ।

 

ମନୁଷ୍ୟ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟରକ୍ଷାର ନିୟମ ଶିକ୍ଷା ମଧ୍ୟ ହେଉଥାଏ । ଏଣୁ କୌଣସି କୌଣସି ଦେଶରେ ଏହି ପ୍ରବାଦ ପ୍ରଚଳିତ, ‘‘ଚାଳିଶ ବର୍ଷରେ କେହି ବୈଦ୍ୟ ହୁଅନ୍ତି, ଚାଳିଶ ବର୍ଷରେ କାହାକୁ ଅବା ବୈଦ୍ୟ ଛାଡ଼େ ।’’ ଶରୀର ସମ୍ବନ୍ଧରେ ଯେଉଁ ନିୟମ, ମନ ସମ୍ବନ୍ଧରେ ମଧ୍ୟ ସେହି ନିୟମ ଚଳୁଅଛି । ମନ ମଧ୍ୟ ଅନେକ ନୂଆ ଅବସ୍ଥାରେ ପଡ଼ି ଆପଣାର ଗତି, ପ୍ରବୃତ୍ତି ଓ ନିୟମମାନ ବୁଝିପାରେ। ଏହି ବିବେକ ଅମୂଲ୍ୟ ବିବେକ ଅଟେ । ‘‘ଏ ଅନିଷ୍ଟ ମୁଁ ନିରାକରଣ କରି ପାରିବି ନାହିଁ । ଏହାକୁ ପାସୋରିବା ଭଲ । ମୁଁ ଏକା ଥିଲେ ସେହି ଚିନ୍ତା ପୁଣି ଆସି ମୋତେ ଆଗୁଳିବ । ବିଷୟାନ୍ତରେ ମନ ଲଗାଇବି । ଏ ସୁଖ ମୋହ ଭୋଗରେ ଆସିବ ନାହିଁ, ଆସିଲେ ସୁଦ୍ଧା ଦୂରରୁ ଯେପରି ମନୋହର ଦିଶୁଅଛି, ସେପରି ମନୋହର ଦିଶିବ ନାହିଁ । ପୂର୍ବରେ ମୋହର ଯେଉଁ ସୁଖ ଜଣାନଥିଲା, ଜଣାନଥିବା ଯୋଗୁଁ ଏଡ଼େ ଭଲ ଦିଶୁଥିଲା, ସେହି ସୁଖ ତ ବର୍ତ୍ତମାନ ଅନୁଭବ କରୁଅଛି । ମାତ୍ର ସେ ମୋହିନୀ ଶକ୍ତି କାହିଁ ? ଏ ସୁଖ ମଧ୍ୟ ସେହିପରି । ଏହାର ଓଜନ ମଧ୍ୟ ସେହିପରି । ଏମନ୍ତ ସୁଖ ମିଳିଲେ କେତେ ନମିଳିଲେ ଅବା କେତେ ।’’ ଏହିପରି ପ୍ରବୋଧ ଦେଇ ନିତାନ୍ତ କୋମଳମନସ୍କ ବ୍ୟକ୍ତି ମଧ୍ୟ ମନର ଉଦ୍‌ବେଗ ଶାନ୍ତିକରେ। ମାନସିକ ବୃତ୍ତିମାନ ବୁଡ଼ିଯାନ୍ତି, ଏମନ୍ତ ନମଣ । ବହୁଦର୍ଶିତା ବଢ଼ିଲେ ଲୋକେ ଚିତ୍ତକୁ ସମ୍ଭାଳିପାରନ୍ତି ।

 

ଅନର୍ଥର ପ୍ରକୃତ ପରିଣାମ ଜଣାଥିଲେ ମନରେ ଯଥେଷ୍ଟ ସାନ୍ତ୍ୱନା ହୁଏ, ହେତୁ କି ଏମନ୍ତ ସ୍ଥଳରେ କଷ୍ଟ ସହିତ ବିସ୍ମୟ ମିଶେ ନାହିଁ । ଅନେକ ଉପନ୍ୟାସପ୍ରିୟ ଅଭୂୟୋଦର୍ଶୀ ଯୁବକ । ମହାନ୍ ମହାନ୍ କଷ୍ଟକୁ କ୍ଷୁଦ୍ର ମଣନ୍ତି । ମାତ୍ର ପ୍ରକୃତି ସବୁଦିନେ ଅଟଳ ଥାଏ । ଉପନ୍ୟାସର ଶିକ୍ଷା ଭିନେ, ପ୍ରକୃତିର ଶିକ୍ଷା ଭିନେ । କେହି କେହି କହନ୍ତି, ଦୁର୍ବିପାକ କେଭେ ବହୁକାଳ ବ୍ୟାପେ ନାହିଁ, ଆସେ, ଯାଏ, ଚଞ୍ଚଳ ଚାଲିଯାଏ । ମାତ୍ର ଅନୁଭବୀ ଲୋକେ ଆନପ୍ରକାର କହିବେ। କୌଣସି କୌଣସି ଦୁର୍ବିପାକ ଅନେକ କାଳ ସ୍ଥାୟୀ ହୁଏ, ଅନେକ ଦିନ କଷ୍ଟ ଦିଏ । ମନୁଷ୍ୟ ଗିରିଶୃଙ୍ଗରୁ ଏକାବେଳେ ତଳକୁ ଖସିପଡ଼େ ଏମନ୍ତ ନୁହେଁ । ଧୀରେ ଧୀରେ ପଡ଼େ, ଏ ପଥରରୁ ସେ ପଥରକୁ ଆସେ, ଇତସ୍ତତଃ ଲତା ଗଛ ପଡ଼ୁ ପଡ଼ୁଁ ଯାହା ପାଏ ତାହାକୁ ଧରେ। ହାତ ଖସରିଯାଏ । କୌଣସି କୌଣସି ସ୍ଥାନରେ ଛିଡ଼ା ହୋଇ ପାଞ୍ଚେ, ଆଉ ପଡ଼ିବି ନାହିଁ । ସେଠାରୁ ମଧ୍ୟ ଗୋଡ଼ ଖସରିଯାଏ । ଏହିପରି ପଡ଼ୁଁ ପଡ଼ୁଁ ପର୍ବତର ପାଦଦେଶକୁ ଲଭେ । ଏ ଉପମାନ କିଞ୍ଚିତ୍ କର୍କଶ ଅଟେ, ମାତ୍ର ଉପମେୟର ଯୋଗ୍ୟ ଉପମାନ ।

 

ଲକ୍ଷ ଭିତରେ ଦୁଇ ଚାରି ଜଣ ସ୍ଥାୟୀ ସୁଖ ଲଭନ୍ତି, ଅବଶିଷ୍ଟ ଲୋକମାନଙ୍କ ମଧ୍ୟରୁ ସମସ୍ତେ ଦୁଇଟା ଗୋଟାଏ ସ୍ଥାୟୀ ଅନର୍ଥ ଭୋଗିଅଛନ୍ତି, ଭୋଗୁଅଛନ୍ତି । ଦୀର୍ଘକାଳବ୍ୟାପୀ ମକଦ୍ଦମା କାହାର ଅର୍ଥ ଶୋଷଣ କରୁଅଛି। କେହି ଅବା କୌଣସି ଅଧ୍ୟବସାୟରେ ଭଗ୍ନମନୋରଥ ହୋଇଅଛନ୍ତି, ସେହି ଅଧ୍ୟବସାୟ-ବିଫଳତା ତାହାଙ୍କୁ ଦାରୁଣ ଯାତନା ଦେଉଅଛି । କେହି ଦୁଷ୍ଟ ସନ୍ତାନର ଅବାଧ୍ୟତାଯୋଗୁଁ ଦିନ ରାତି ଦୀର୍ଘନିଶ୍ୱାସ ପକାଉଅଛନ୍ତି । ଦୁଷ୍ଟ ଖଳ କୁଟୁମ୍ବର ଉପଦ୍ରବରେ କାହାରି ଅବା ଧୈର୍ଯ୍ୟ ଲୋପ ହେଉଅଛି। କେହି ଅବା ଅପରିଣାମଦର୍ଶୀ ଇନ୍ଦ୍ରିୟର ପରତନ୍ତ୍ର ହୋଇ କୌଣସି ଲଜ୍ଜାକର ବ୍ୟାପାରରେ ଲିପ୍ତ ଥିଲେ, ଏବେ ସେହି ଲଜ୍ଜାକର ବ୍ୟାପାର ସବୁବେଳେ ସ୍ମୃତିମାର୍ଗରେ ଆବିର୍ଭୂତ ହୋଇ ଥରକୁଥର ମୁଖ ବିବର୍ଣ୍ଣ କରୁଅଛି । ଏହିପରି କେତେ ଲୋକ ଦିନ ମଧ୍ୟରେ ଶହେ ଥର ଆତ୍ମଧିକ୍‌କାର ଦେଇ ଦୈବର ଅପରିହାର୍ଯ୍ୟ ବିଡ଼ମ୍ବନା ସ୍ମରଣ କରି, ମହୀରେ ଯେଉଁ ସମୟରେ ପ୍ରଥମେ ପଦାର୍ପଣ କରିଥିଲେ, ସେହି ସମୟକୁ କୁସମୟ ମଣୁଅଛନ୍ତି ।

 

ଜଣେ ଓକିଲ, ଆଉ ଜଣେ ମନ୍ତ୍ରୀ, ଦୁହିଁଙ୍କୁ ପ୍ରାୟ ସମାନ ପରିଶ୍ରମ କରିବାକୁ ହୁଏ । ମାତ୍ର ମନ୍ତ୍ରୀଙ୍କୁ ଯେପରି ପ୍ରଗାଢ଼ ଚିନ୍ତା କରିବାକୁ ହୁଏ, ଓକିଲର ସେପରି ନୁହେ । ଓକିଲର ଚିନ୍ତା ସୂର୍ଯ୍ୟଙ୍କ ସଙ୍ଗେ ଉଦିତ ହୁଏ, ସୂର୍ଯ୍ୟଙ୍କ ସଙ୍ଗେ ଅସ୍ତ ହୁଏ । ମନ ଦେଇ ଦେଖ, ଦାୟୀ ମନ୍ତ୍ରୀର ମାନସିକ କଷ୍ଟ କେଡ଼େ କଷ୍ଟ । ଗୋଟିଏ ପ୍ରଣାଳୀ ଘେନି କାର୍ଯ୍ୟ କରିବାକୁ ହେଲା । ପ୍ରଣାଳୀ ପ୍ରଶସ୍ତ ଅଥବା ଅପ୍ରଶସ୍ତ, ଦିନେଓଳିକରେ ଜଣା ଯିବ ନାହିଁ । ପ୍ରଣାଳୀଗତ ଦୋଷମାନ ଧୀରେ ଧୀରେ ଅତର୍କିତ ରୂପରେ ଉପଲବ୍‌ଧ ହୁଏ । ଏମନ୍ତ ଅବସ୍ଥାରେ ଏହିପରି ସାନ୍ତ୍ୱନା ଅବଲମ୍ବନ କରିବାର ବିହିତ ଅଟେ । ତୁମ୍ଭର ଅବଲମ୍ବିତ ପ୍ରଣାଳୀରୁ ମନ୍ଦ ଫଳ ଜାତ ହେଲା ଜାଣି ଜ୍ଞାନୀ, ହୃଦୟଜ୍ଞ ଲୋକଙ୍କର ଏମନ୍ତ ସ୍ଥଳରେ କ’ଣ କରିବାର ଉଚିତ? ଅନେକ ଗଞ୍ଜନା ତ ସହିଲଣି । ଏଥିରୁ ଯାହା ଶିଖିବାର ଶିଖିଲଣି । ଥରକୁଥର ଆଉ ସେହି ବିଷୟରେ ମାର୍ଜନା କର ନାହିଁ, ପାସୋରିପକାଅ । ମନକୁ ଆନ ବିଷୟରେ ଆମୋଦରେ ନିବିଷ୍ଟ କର । ନେପୋଲିୟନ୍ ବୋନାପାର୍ଟ କେଡ଼େ ଲୋକ ଥିଲେ । ରୁଷ୍‌ପରାଭବ ମନେପଡ଼ିଲାକ୍ଷଣି ତାସ ଓ ନ୍ୟାୟବଳର ଶରଣ ପଶୁଥିଲେ । ମନଃ ଶାନ୍ତିର ଆହୁରି ଏକ ଉପାୟ ଏହି; ଆମର ବିପଦ୍‌ଜାଲ ଆମ୍ଭଙ୍କୁ କଷ୍ଟ ଦେଇଅଛି, ଏହା ପ୍ରମାଣ ଅଟେ । ମାତ୍ର ଅମିଶ୍ର କଷ୍ଟ ଦେଇ ନାହିଁ, କଷ୍ଟ ସଙ୍ଗେ ସଙ୍ଗେ ଅମୂଲ୍ୟ ଜ୍ଞାନ ଦେଇଅଛି। ଯେଉଁ ଅନ୍ଧକାର ସୂର୍ଯ୍ୟ ଗ୍ରାସ କରେ, ସେହି ଅନ୍ଧକାର କେତେ ମଞ୍ଜୁଳ ପଦାର୍ଥମାନ ନୟନଗୋଚର କରାଏ । ଦିନରେ ଗଗନଯାକ ଉଜ୍ଜ୍ୱଳ ଥିଲା, ଅନ୍ଧକାରରେ ଯାହାର ସ୍ୱତଃ ଔଜ୍ଜ୍ୱଲ୍ୟ ଅଛି, ସେହି ଉଜ୍ଜ୍ୱଳ ଥାଏ-। ଯାହାର ସ୍ୱତଃ ଔଜ୍ୱଲ୍ୟ ନାହିଁ, ସେ ଆଲୁଅରେ ଧଳା ଥିଲା, ଅନ୍ଧକାରରେ କଳା ହେଲା ।

 

ଏହି ଦେଖ ପାଠକ, ଉପମା ଅଳଙ୍କାର ଲୋଡ଼ୁଁ ଲୋଡ଼ୁଁ ବାଟବଣା ହୋଇଥିଲି । ହଁ ! ଆମ୍ଭର ଆପଦ ଆମ୍ଭଙ୍କୁ ବିସ୍ତର ଜ୍ଞାନ ଶିଖାଏ । ଏଣୁ ଆପଦ ଆମ୍ଭର ଉପକାରକ, ଏଡ଼େ ଉପକାରକ, ଏଡ଼େ ସ୍ପଷ୍ଟବାଦୀ ଉପକାରକ ଆଉ ନାହିଁ । ବିପଦରୁ ଯେଉଁ ଜ୍ଞାନ ମିଳେ, ଅନେକ ବ୍ୟୟରେ ମିଳେ । ଏମନ୍ତ ଜ୍ଞାନକୁ ଆମ୍ଭର ଚିତ୍ତର ଅଂଶ ମଣିବାର ଉଚିତ ।

 

ଜ୍ଞାନୀ ଲୋକ ସର୍ବଦା ନମ୍ର ହୋଇ ଅବସର ପ୍ରତୀକ୍ଷା କରିବ । ସବୁ ବିଷୟରେ ନମ୍ର ଥିବାର ଭଲ, ଆପଣାର ଲଘିମା ସବୁବେଳେ ସ୍ମରଣ କରିବାର ଭଲ । ପ୍ରବୀଣ ସେନାପତି ପ୍ରାୟ ଉଚ୍ଚ ଭୂମି ଅନ୍ୱେଷଣ କରିବ ।

 

କେବଳ ମନରେ ନୁହେ, କାର୍ଯ୍ୟରେ ମଧ୍ୟ ଏହିପରି ସାବଧାନ ହୋଇ ଚଳିବାର ବିଧେୟ ଅଟେ । ଜଣେ ବିଜ୍ଞ ଲୋକ କହିଅଛନ୍ତି, ‘‘ସେ ପ୍ରତିଦିନ କଚେରିକୁ ଯାଉଥିଲେ । ଯେଉଁଦିନ ବାଟରେ ଘୋଡ଼ା ଚଞ୍ଚଳ ଓ ଅବାଧ୍ୟ ହେଉଥିଲା, ସେଦିନ ସେ ମଧ୍ୟ କଚେରିରେ ବିରକ୍ତ, ରୁଷ୍ଟ ହେଉଥିଲେ । ଯେଉଁଦିନ ଭଲରେ ଆସୁଥିଲେ, ସେ ଦିନ କଚେରିରେ ଉଗ୍ର ମୂର୍ତ୍ତି ଧରୁନଥିଲେ । ଏଥିରେ ଆଶ୍ଚର୍ଯ୍ୟର ବିଷୟ କିଛି ନାହିଁ । ଘୋଡ଼ା ଦୁର୍ଦ୍ଦାନ୍ତ ହେଲାରୁ ତାହାକୁ ଆୟତ୍ତ କରିବାକୁ ହେଉଥିଲା, ତେଣୁ କିଞ୍ଚିତ୍ ଦୁର୍ବଳ ଓ ବିରକ୍ତ ହେଉଥିଲେ, ସୁତରାଂ ମନର ଶାନ୍ତି ଭଗ୍ନ ହେବାର ବିଚିତ୍ର ନୁହେ । ଏ ସାନ କଥା, ମାତ୍ର ସାନ କଥାରେ ସୁଦ୍ଧା ନିକ୍ତି ଟଳିଯାଏ । ଯେଉଁ ଲୋକମାନେ ହୃଦୟଜ୍ଞ ନୁହନ୍ତି, ସେମାନେ ଏହି କଥା ଶୁଣି ହସିବେ । ହସିବେ ତ ହସନ୍ତୁ; ମାତ୍ର ବିଡ଼ିଲେ ଜାଣିବେ-। ସାନ ବିଷୟ ଅନେକ ଅଛି । ମାତ୍ର ବଡ଼ ସାଙ୍ଗରେ ସେମାନଙ୍କର ସମ୍ପର୍କ ଥିଲେ ସେମାନଙ୍କ ଅଭାବରେ ବଡ଼ କଥା ମଧ୍ୟ ଅଟକିଯାଏ ।

 

ସଂସାରରେ ଗଞ୍ଜନା ସମସ୍ତଙ୍କୁ ଥରେ ଦୁଇ ଥର ସହିବାକୁ ହୁଏ । କୋମଳମନସ୍କ ବ୍ୟକ୍ତିମାନେ ଟିକିଏ ନିନ୍ଦାରେ ଭଗ୍ନମନା ହୁଅନ୍ତି । ଯେତେବେଳେ ତୁମ୍ଭର ଗଞ୍ଜନା ହେବ, ମନ ସମ୍ଭାଳି ଧୈର୍ଯ୍ୟ ଧରି ଏହା ପାଞ୍ଚିବ ଯେ, ସଂସାରର ମତ ଦିନକୁ ଦିନ ସଂଶୋଧିତ ହେଉଅଛି । ଯେଉଁମାନେ ତୁମ୍ଭର ଆତ୍ମୀୟ ଅଟନ୍ତି, ସେମାନେ ତୁମ୍ଭର ଆଚରଣ ବିଷୟରେ ଯେଉଁ ମତ ସ୍ଥିର କରିଅଛନ୍ତି, ତାହା ସହଜରେ ପରିବର୍ତ୍ତିତ ହେବାର ଦୁଷ୍କର ଅଟେ । ହେତୁ କି ସେମାନେ ଏହା ପାଞ୍ଚନ୍ତି ଯେ, ସେମାନେ ତୁମ୍ଭର ଚରିତ୍ର ଭଲରୂପରେ ଜାଣନ୍ତି; ଏଣୁ ସେମାନଙ୍କର ମତ ଅଭ୍ରାନ୍ତ ଅଟେ। ସାଧାରଣ ଲୋକଙ୍କର ମତ ଭ୍ରାନ୍ତ ଥିଲେ ସମୟରେ ଅବଶ୍ୟ ବିଶୋଧିତ ହେବ ।

 

ମତ ସଂଶୋଧନ କେଉଁ ଯୁଗରେ ହେବ, ସେତେଦିନଯାଏ ଅନାଇଥିବାର ସହଜ ନୁହେ, ମାତ୍ର ହେଲେହେଁ ସବୁ ଦିନ ତୁମ୍ଭର କଳଙ୍କ ଥିବ ନାହିଁ । ମଲା ଆଗେ ହେଉ ବା ପଛେ ହେଉ ଅବଶ୍ୟ ଦିନେ ଉପନୀତ ହେବ, ଏହି ଚିନ୍ତା ମନକୁ କଥଞ୍ଚିତ୍ ସୁସ୍ଥ କରିପାରେ ।

 

କୁତ୍ସା ସମ୍ବନ୍ଧରେ ଏହା ଭାଳିବାର ଉଚିତ ଯେ, ଲୋକେ କୁତ୍ସାକୁ ଯେଉଁ କାରଣରୁ ଜାତହୋଇଥିବାର ମଣନ୍ତି, କୁତ୍ସା ସେଥିରୁ ଜାତ ହୁଏ ନାହିଁ । ସ୍ଥାୟୀ ହିଂସାର ପ୍ରବର୍ତ୍ତନୀରେ କେହି ତୁମ୍ଭର ଅମଙ୍ଗଳ ପାଞ୍ଚୁଅଛନ୍ତି, ତୁମ୍ଭର ଅନିଷ୍ଟ ସାଧନ ଛଡ଼ା ସେମାନଙ୍କର ଅନ୍ୟ ବ୍ୟବସ୍ଥା ନାହିଁ । ତୁମ୍ଭେ ତାହାଙ୍କର କ୍ରୂର କୁତ୍ସାର ଗୋଟିଏ ମାତ୍ର ଲକ୍ଷ୍ୟସ୍ଥଳ ଅଟ, କେଭେ ଏମନ୍ତ ଭାଳିବ ନାହିଁ । ନିଶ୍ଚେ ଜାଣିଥିବ, ସ୍ଥାୟୀ ହିଂସା ସବୁବେଳେ କୁତ୍ସାର ପ୍ରସୂତି ନୁହଇ । ସରଳ ଅଜ୍ଞତା, ସଂକୀର୍ଣ୍ଣମନସ୍କତା ଅଥବା ଅପରିହାର୍ଯ୍ୟତା, ଏହି ତିନି କାରଣର ଅନ୍ୟତରରୁ କୁତ୍ସା ଜାତ ହେଉଥିବାର ଜଣାଯାଏ । ଏଣୁ କୁତ୍ସାକୁ ଅନ୍ୟାୟ ଉପଦ୍ରବ ନ ମଣି ଦୁର୍ଭାଗ୍ୟ ମଣିବାର ବିହିତ ଅଟେ-

 

ଯେଉଁମାନଙ୍କୁ ଅନେକ ଭାର ସମ୍ଭାଳିବାକୁ ହୁଏ, ସେମାନେ ଦୁଇ ଚାରି ଥର ଗଞ୍ଜନା ନ ଲଭି ଯେ ଜୀବନ ଗମିବେ, ଏପରି ଆଶା କରିବାର ଭଲ ନୁହେ । ହେତୁ କି ଏପରି ଆଶା କେବେ ଫଳିବ ନାହିଁ । ଯେଉଁ ଲୋକମାନଙ୍କ ସଙ୍ଗେ ତୁମ୍ଭର କାରବାର ଚଳୁଅଛି, ସେମାନଙ୍କ ମଧ୍ୟରେ ବିଜ୍ଞମ୍ମନ୍ୟ ଅଜ୍ଞ ଏବଂ ଈର୍ଷୀ ଲୋକ ଅନେକ ଅଛନ୍ତି । ଏହା ଯେବେ ଜାଣ, ସେମାନଙ୍କ ସଙ୍ଗେ କାରବାର କଲେ ଅବଶ୍ୟ ଥରେ ଦୁଇ ଥର ଦୁର୍ନାମ ଘଟିବ, ଏହା ମଧ୍ୟ ଜାଣିବାର ଉଚିତ। ଗଞ୍ଜନାନଳ ଏକ ସ୍ଥାନରେ ପ୍ରଜ୍ଜ୍ୱଳିତ ହୁଏ । ଏମନ୍ତ କେତେଗୁଡ଼ିଏ ଲୋକ ଅଛନ୍ତି, ପରନିନ୍ଦା ସେମାନଙ୍କୁ ଯେତେ ସୁସ୍ୱାଦୁ ଲାଗେ, କୌଣସି ମିଷ୍ଟାନ୍ନ ସେପରି ଲାଗେ ନାହିଁ । ଏମାନେ ତୁମ୍ଭର ଗଞ୍ଜନାନଳରେ ଫୁତ୍କାର ଦିଅନ୍ତି । ତୁମ୍ଭଠାରେ ସେମାନଙ୍କର କୌଣସି ଶତ୍ରୁତା ଥିବା ଯୋଗୁଁ ଫୁତ୍କାର ଦିଅନ୍ତି ଏମନ୍ତ ନୁହେ । ପରଗଞ୍ଜନା ସେମାନଙ୍କୁ ସ୍ୱାଦୁ ଲାଗେ, ସେଥିପାଇଁ ଫୁତ୍କାର ଦିଅନ୍ତି । ଅଜ୍ଞତା ପୁଣି କଳ୍ପିତକୁ ପ୍ରକୃତ ମଣି ତୁମ୍ଭଠାରେ ଦ୍ୱେଷୀ ହୁଅଇ । ଏଣୁ ତୁମ୍ଭର ମହାନ୍ ଅନିଷ୍ଟ ହେଲା । କ’ଣ କରିବ, ଏଥିରେ ତୁମ୍ଭର ଚାରା ନାହିଁ । ଯେତେ ସାବଧାନ ହୋଇ ବଳ, ଯେତେ ପରିଣାମଦର୍ଶୀ ହୁଅ ପଛକେ, ବହୁ ବ୍ୟାପାରୀ ହେଲେ ନିଶ୍ଚେ ଥରେ ଦୁଇ ଥର କଳଙ୍କ ରଟିବ। ଏଣୁ ଏପରି ଦୁର୍ଘଟନାକୁ ଦୁର୍ଦୈବକୃତ ମଣିବାର ବିହିତ ଅଟେ । ଯେଉଁ ବିବେକର ସାହାଯ୍ୟ ଘେନି ଆନ ଦୈବବିପାକ ସହୁଅଛ, ଏହି ଦୁର୍ଘଟନାରେ ମଧ୍ୟ ସେହି ବିବେକର ସାହାଯ୍ୟ ନିଅ । ଧୈର୍ଯ୍ୟ ଧରି ପ୍ରତୀକ୍ଷା କର, ଯାହା ସମୟରେ ଜାତ ହୋଇଅଛି ସମୟରେ ତାହାର ଖଣ୍ଡନ ହେବ । କାଦୁଅ ଯେତେବେଳେ ଶୁଷ୍କ ହେବ, ଆପେ ଝଡ଼ିପଡ଼ିବ, ଶୁଷ୍କ ହେବା ଆଗେ ଝଡ଼ିପଡ଼ିବ ନାହିଁ । ପୋଛିବା ତୁମ୍ଭର ସାଧ୍ୟ ନୁହେ, ଶୁଷ୍କ ହେବାଯାଏ ପ୍ରତୀକ୍ଷା କର । ତୁମ୍ଭ ଜୀବନ ଥାଉଁ ଥାଉଁ ଶୁଷ୍କ ହେବ କି ନାହିଁ, ଏହା ଅବା କିଏ କହିବ ? ଯେ ଯାହାହେଉ, ଆତ୍ମସମର୍ଥନ ନିମନ୍ତେ ନିତାନ୍ତ ବ୍ୟଗ୍ର ହେବାର ଭଲ ନୁହେ। କର୍ମଠ ଲୋକ ଗଞ୍ଜନାକୁ ଘେନି ଯେବେ ଅହର୍ନିଶ ଚାଲିବ, କର୍ମ କିପରି ଚଳିବ ? କର୍ମିଷ୍ଠ ବ୍ୟକ୍ତିଙ୍କର ଏହା ମନେରଖିବା ଉଚିତ କି, ସେମାନେ ଯାହା କରନ୍ତି, ଅନ୍ୟକୁ ସେଥିର କାରଣମାନ ଜଣାଇବା କର୍ମର ଅଙ୍ଗ ନୁହଇ । ଏତିକି ମାତ୍ର, ସେ ସଦସତ୍ ବିବେଚନା ଉପଦେଶ ଅନୁସରି ଚଳିବେ ।

 

ରାଜକର୍ମଚାରୀମାନଙ୍କୁ ଦେଖ । ଏମାନେ କେତେ ଗଞ୍ଜନା ଲଭନ୍ତି, ମାତ୍ର ତୁନି ହୋଇ ସବୁ ସହନ୍ତି । ସେମାନଙ୍କ ଅବଲମ୍ବିତ କାର୍ଯ୍ୟପ୍ରଣାଳୀ ଘେନି ଅନେକ ଲୋକ ଅନେକ କଥା କହନ୍ତି-। ସମସ୍ତଙ୍କୁ ପ୍ରବୋଧ ଦେବାପାଇଁ ସେମାନଙ୍କର ଅବକାଶ ନାହିଁ । କେବଳ ଉଚ୍ଚତର କର୍ମଚାରୀଠାରେ ସେମାନେ ଦାୟୀ ଅଟନ୍ତି । ଏଥିପାଇଁ ଉଚ୍ଚତର କର୍ମଚାରୀଙ୍କୁ ଅବଲମ୍ବିତ ପ୍ରଣାଳୀର କାରଣମାନ ଜଣାନ୍ତି । ସଂସାରର ଅନ୍ୟାନ୍ୟ କାର୍ଯ୍ୟରେ ସୁଦ୍ଧା ସେହିପରି ନ କଲେ ଚଳି ହେବ ନାହିଁ । ଲୋକର ଆଚରଣ ଉପରେ କେହି ଯେବେ ଅନ୍ୟାୟ ଟୀକା କରନ୍ତି, ସେହି ଟୀକା ଅଶେଷ ମନସ୍ତାପର ହେତୁ ହୁଏ । ବାସ୍ତବରେ କାହାରି ଆଚରଣ ଭଲ ଅବା ମନ୍ଦ, ଏ ବିଷୟରେ ମତ ଦେବାକୁ ଲୋକେ କେଡ଼େ ଅନୁପଯୁକ୍ତ ଅଟନ୍ତି, ତାହା ଯେବେ ସମସ୍ତଙ୍କୁ ଜଣାଥାନ୍ତା, ତେବେ କେହି ସହସା କୌଣସି ବିଷୟରେ ମତ ଦିଅନ୍ତେ ନାହିଁ, କାହାକୁ ଅନ୍ୟାୟ ମତଜନିତ କ୍ଳେଶ ସୁଦ୍ଧା ଭୋଗ କରିବାକୁ ହୁଅନ୍ତା ନାହିଁ । ଆଗେ ଭାଳି ଦେଖ, ଅନ୍ୟର ପ୍ରକୃତ ଅବସ୍ଥା ବିଷୟରେ ଆମ୍ଭେମାନେ କେଡ଼େ ଅଜ୍ଞ ଅଟୁ। ଜଣକୁ ତୁମ୍ଭେ ଧନୀ ମଣ । ସେ ନିଃସ୍ୱ ଅଟେ, ଅଥବା ସେ ଧନୀ ଅଟେ; ମାତ୍ର ସେହି ଧନର ସଙ୍ଗେ ସଙ୍ଗେ ତାହାକୁ କେତେ ଆପଦ ସହିବାକୁ ହୁଏ, କେତେ ଲୋକର ମନ ରଖି, କେତେ ଲୋକକୁ ଡରି ଚଳିବାକୁ ହୁଏ, ତାହା ତୁମ୍ଭେ ଜାଣ ନାହିଁ । ଜଣକୁ ତୁମ୍ଭେ ସୁସ୍ଥଶରୀର ମଣ, ବାସ୍ତବରେ ସେ ମାନସିକ ରୋଗର ଅଧୀନ ହୋଇ ଅହର୍ନିଶ ଯନ୍ତ୍ରଣା ଭୋଗ କରୁଅଛି । ତୁମ୍ଭେ କହ, ‘‘ଅମୁକେଇ ଲୋକ କେଡ଼େ ଅସୁଖୀ, ଏପରି ମୁଖରା ଭାର୍ଯ୍ୟା ଘେନି ମୁଁ ଚଳିପାରନ୍ତି !’’ ମାତ୍ର ପ୍ରକୃତରେ ତାହାର ଭାର୍ଯ୍ୟା ମୁଖରା ହେଲେହେଁ ସେ ତାହାକୁ ଯଥେଷ୍ଟ ସ୍ନେହ କରେ ଏବଂ ଆପଣାକୁ ସୁଭଗ ମଣେ । ତୁମ୍ଭେ କହ, ‘‘ଅମୁକେଇ ଲୋକ ପରି କପାଳିଆ ମହୀରେ ନାହିଁ, ଏଡ଼େ ସ୍ନେହବତୀ ଭାର୍ଯ୍ୟା କାହାରି ନାହିଁ ।’’ ପ୍ରକୃତରେ ତାହା ଘର କଳିମନ୍ଦିର ଅଟେ । ତୁମ୍ଭେ କହ, ‘‘ଅମୁକେଇ ଲୋକକୁ କୌଣସି କାର୍ଯ୍ୟ କରିବାକୁ ହୁଏ ନାହିଁ, ତାହାର ଦିନଯାକ ଅବକାଶ ।’’ ବାସ୍ତବରେ ତାହାକୁ କେତେ ଚିନ୍ତା, କେତେ ପରିଶ୍ରମ, କେତେ ଉଦ୍‌ଯୋଗ କରିବାକୁ ହୁଅଇ, ସେଥିର ଲବମାତ୍ର ତୁମ୍ଭଙ୍କୁ ଜଣା ନାହିଁ । ଏଥକୁ ଅନ୍ୟର ଆଚରଣ ଉପରେ ତୁମ୍ଭେ ଯେଉଁ ଟୀକା କର, ସେଥିରେ ଲଭ୍ୟ କ’ଣ ? ଲୋକ ଗୋଟିକୁ ପ୍ରକୃତି ଗୋଟିଏ । ପୁଣି ଅନେକ ଲୋକ ଅଛନ୍ତି, ସେମାନେ ଆପଣା ସମପ୍ରକୃତିକ ଲୋକ ଛାଡ଼ି ଅନ୍ୟ ଲୋକକୁ ଅଧମ ମଣନ୍ତି। ଦେଖ, ଅନ୍ୟର ଆଚରଣ ଉପରେ ଟୀକା କରିବାପାଇଁ କେତେ ଜ୍ଞାନ ପ୍ରୟୋଜନ ରଖେ, ପ୍ରାୟ ସର୍ବଜ୍ଞତାର ପ୍ରୟୋଜନ ରଖେ । ଭିନ୍ନଜାତୀୟ ପ୍ରାଣୀମାନଙ୍କ ପ୍ରକୃତିରେ ଯେତେ ଅନ୍ତର, ଭିନ୍ନ ଭିନ୍ନ ଲୋକମାନଙ୍କର ପ୍ରକୃତିରେ ସେହିପରି ଅନ୍ତର ଥିବାର ଦିଶୁଅଛି । ବଳଦ ଭଲ ଅବା ମନ୍ଦ, ଶିଷ୍ଟ ଅବା ଦୁଷ୍ଟ, ଠେକୁଆ ଏ ବିଷୟର ବିଚାର କରିନପାରେ ।

 

ଗଞ୍ଜନା ତଳେ ଉପେକ୍ଷା । ଉପେକ୍ଷିତ ବ୍ୟକ୍ତିମାନଙ୍କର ମଧ୍ୟ ସାନ୍ତ୍ୱନାର ଅନେକ ଉପାୟ ଅଛି । ଯେଉଁ ଲୋକ ଆପଣାକୁ ଉପେକ୍ଷାର ଅନର୍ହ ମଣେ, ତାହାକୁ ଉପେକ୍ଷା ଦୁଃସହ କଷ୍ଟ ଦିଏ । ମାତ୍ର ବାସ୍ତବରେ ବିଜ୍ଞ, ଅବହେଳାର ଅନର୍ହ ବ୍ୟକ୍ତି ସୁଦ୍ଧା ଅବହେଳିତ ହୁଅନ୍ତି । ଏପରି ସ୍ଥଳରେ ଉପେକ୍ଷାର ପ୍ରକୃତ ହେତୁ ସ୍ମରଣ କଲେ ଉପେକ୍ଷାଜନିତ କ୍ଳେଶ ନିଶ୍ଚେ ଊଣା ହେବ । ହେତୁ କି ଉପେକ୍ଷା ସ୍ୱୟଂ କଷ୍ଟକାରୀ ହେଲେ ମଧ୍ୟ ସେଥିର ହେତୁ ସବୁବେଳେ ସେପରି କଷ୍ଟକର ହୁଏନାହିଁ ।

 

ଅମୁକେଇ ଉପାୟରେ ଅମୁକେଇ ବସ୍ତୁ ମିଳେ, ତୁମ୍ଭେ ସେ ଉପାୟ ଅବଲମ୍ବି ପାରିବ ନାହିଁ, ଅଥଚ ସେହି ବସ୍ତୁଲିପ୍‌ସା ତୁମ୍ଭ ମନରେ ସବୁବେଳେ ଜାଗରୂକ ଅଛି । ଏପରି ଅନ୍ୟାୟ ଲିପ୍‌ସା ତୁମ୍ଭର ବିଜ୍ଞତାର ସଦୃଶ ନୁହେ । ତୁମ୍ଭଠାରେ ଗୁଣର ଅଭାବ ନାହିଁ । ମାତ୍ର ଯାହା ଲଭିବାପାଇଁ ତୁମ୍ଭର ଏଡ଼େ ଆଗ୍ରହ, ତାହା କେବଳ ଗୁଣଦ୍ୱାରା ଲବ୍‌ଧ ହୁଅଇ ନାହିଁ । କେତେଗୁଡ଼ିଏ ସୁବିଧାର ପ୍ରୟୋଜନ ରଖେ। ତୁମ୍ଭ ଭାଗ୍ୟରେ ସେପରି ସୁବିଧା ଘଟୁ ନାହିଁ । ଏଥିପାଇଁ ଲୋକେ ଉତ୍ତରସାଧକଙ୍କୁ ବହୁ ମଣନ୍ତି । କେତେଗୁଡ଼ିଏ କଥା ଅଛି, ଆପଣାପାଇଁ କେହି କହି ପାରେ ନାହିଁ । ଯେବେ କେହି କହେ, ଲୋକେ ତାହାକୁ ଅହଙ୍କାରୀ, ଧୃଷ୍ଟ ଏବଂ ନିର୍ଲଜ୍ଜ ମଣନ୍ତି । ଉତ୍ତରସାଧକ ଥିଲେ ଏପରି ଅନର୍ଥ ଜାତ ହୁଏ ନାହିଁ । ସେ ତୁମ୍ଭପାଇଁ ସେହି ସେହି କଥାମାନ ମୁକ୍ତକଣ୍ଠରେ ନିର୍ଭୀକମନରେ କହି ମାରିବେ । ତୁମ୍ଭର ଯେବେ ଏପରି ଉତ୍ତରସାଧକ ନାହାନ୍ତି, ତୁନି ହୋଇଥାଅ । ତୁମ୍ଭଠାରୁ ଅଧିକ ଅଭାବଗ୍ରସ୍ତ ଲୋକର ଅବସ୍ଥା ସଙ୍ଗେ ଆପଣା ଅବସ୍ଥା ତୁଳନା କରି ମନକୁ ପ୍ରବୋଧ ଦିଅ ।

 

ନ୍ୟାୟ ଅପେକ୍ଷା ଅନ୍ୟାୟର ମୂର୍ତ୍ତି ବିଶେଷ । ଅନ୍ୟାୟ ସହି ହୁଏ ନାହିଁ, ମାତ୍ର ନ ସହି ଗତି ନାହିଁ । ଅନେକ ଲୋକ କହନ୍ତି, ‘‘ମୋର ଆଉ କିଛି ମାଗୁଣି ନାହିଁ, ନ୍ୟାୟ ହେଲେ ସବୁ ହେଲା, ମୁଁ କେବଳ ନ୍ୟାୟ ପ୍ରାର୍ଥନା କରୁଅଛି ।’’ କେବଳ ନ୍ୟାୟ ପ୍ରାର୍ଥନା କରୁଅଛ ? ନ୍ୟାୟ ଭିତରେ କେତେ ଗଲା ଭାଳି ଦେଖିଛଟିକି ? ନ୍ୟାୟ ସମୟସାପେକ୍ଷ, ସୂକ୍ଷ୍ମଦର୍ଶିତାସାପେକ୍ଷ, ଶିଷ୍ଟତାସାପେକ୍ଷ। ତୁମ୍ଭେ ଦିନ ଭିତରେ ଶହେ କାରବାର କରୁଅଛ । ଯେବେ ପ୍ରତି କାରବାରରେ ନ୍ୟାୟ ପ୍ରାର୍ଥନା କରିବ, ପ୍ରତି କାରବାରରେ ତିନୋଟି ଲେଖାଏଁ ଦିନ ମଧ୍ୟରେ ତିନିଶ ପଦାର୍ଥ ତୁମ୍ଭର ମାଗୁଣି ହେଲା । ତୁମ୍ଭଠାରେ ଯେବେ କେହି ଏହି ମାଗୁଣି କରିବ, ତୁମ୍ଭେ ଦେଇ ପାରିବ ? ଯେତେଦିନଯାଏ ତୁମ୍ଭର ଏହି କ୍ଷମତାର ଅଭାବ ଅଛି, ସେତେଦିନଯାଏ ଆନ ଲୋକଠାରେ ଏପରି ଅସଙ୍ଗତ ପ୍ରାର୍ଥନା କରିବାର ଅନୁଚିତ। ସଂସାର ଭ୍ରମ, ଆଳସ୍ୟ, ଚଳଚ୍ଚିତ୍ତତା, ରିପୁପରତନ୍ତ୍ରତା, ସ୍ୱାର୍ଥପରତା ପ୍ରଭୃତି ଅପରିହାର୍ଯ୍ୟ ଅନିଷ୍ଟମାନଙ୍କରେ ବୁଡ଼ି ରହିଅଛି । ଏଥକୁ ଅନ୍ୟାୟ ନ ହେବାର ବିଚିତ୍ର ଅଟେ । ତୁମ୍ଭେ ମହୀରେ ଅଛ, ଲୋକେ ତୁମ୍ଭ ପ୍ରତି ଅନ୍ୟାୟ କରନ୍ତି । ଏମନ୍ତ ଅସଙ୍ଗତ ଗୁହାରି କରିବ ନାହିଁ ।

 

ନ୍ୟାୟଦେବଙ୍କର ପ୍ରକୃତ ମୂର୍ତ୍ତି ଯେପରି, ଲୋକେ ସେପରି ନ ଭାବି ଆନ ପ୍ରକାର ଭାବନ୍ତି । କବିମାନେ ନ୍ୟାୟଦେବଙ୍କ ଏକ ହାତରେ ନିକ୍ତି, ଆନ ହାତରେ ଖଡ଼୍‌ଗ ଥିବାର କହନ୍ତି । ମାତ୍ର ପ୍ରକୃତରେ ସେହି ଆୟୁଧ ଭାଗ୍ୟଦେବଙ୍କଠାରେ ଶୋଭା ପାଏ । ନ୍ୟାୟଦେବଙ୍କ ମୂର୍ତ୍ତି ଏପରି କଳ୍ପନା କରିବାର ଭୁଲ । ନ୍ୟାୟଦେବ ପୃଥିବୀ ଚାରିଆଡ଼େ ଭ୍ରମଣ କରୁଅଛନ୍ତି । ହିଂସା, କୁସଂସ୍କାର, ଆଳସ୍ୟ, ସ୍ୱାର୍ଥପରତା, ଯେଉଁମାନେ ତାହାଙ୍କର ପ୍ରକୃତ ସହଚର ନୁହନ୍ତି, ସେମାନେ ସେହି ଆଲୋକର ବ୍ୟବଧାନ ହୋଇଅଛନ୍ତି । ଭାଗ୍ୟବାନ୍ ଲୋକ ଆଗରେ ଏମାନଙ୍କର ଛିଡ଼ା ହେବାକୁ ବଳ ନାହିଁ। ମାତ୍ର ଅଧିକାଂଶ ଲୋକେ ବୃକ୍ଷଛାୟାରେ ଛିଡ଼ା ହୋଇ ଶାଖାନ୍ତରାଳ ଦେଇ ଆସୁଥିବା ଚନ୍ଦ୍ରକିରଣ ପ୍ରାୟ ନ୍ୟାୟଦେବଙ୍କର କିରଣକଣା ଲଭନ୍ତି । କେହି କେହି ଏପରି ଦୁର୍ଭାଗ୍ୟ ଅଟନ୍ତି ଯେ ଛାୟା ବ୍ୟତୀତ ସେମାନଙ୍କ ଉପରେ ଆଉ କିଛି ପଡ଼େ ନାହିଁ । ଯେଉଁ ସ୍ଥାନରେ ଭୀଷଣ ଛାୟାମାନ ପରସ୍ପର ଭଲରୂପେ ସଂଲଗ୍ନ ହୋଇ ନପାରନ୍ତି, କେବଳ ସେହି ସେହି ମାର୍ଗରେ ଲବମାତ୍ର କିରଣ ଆସୁଥାଏ । ମାତ୍ର ଏହା ମନରେ ରଖିଥିବ, ସେହି ଛାୟାମାନେ ସଂସାରର ଆନ ପଦାର୍ଥ ପ୍ରାୟ ନଶ୍ୱର ଅଟନ୍ତି । ସାନ ସାନ ଦୁର୍ବିପାକମାନ ସହିବାର ଦୁଷ୍କର ଅଟେ । ହେତୁ କି ବଡ଼ ବଡ଼ ଆପଦମାନଙ୍କ ସଙ୍ଗେ ଅନୁରୂପ ବିବେକ ଆସେ । ମାତ୍ର ସାନ ସାନ କଷ୍ଟ ସଙ୍ଗେ ସେହିପରି ସାନ ସାନ ବିବେକ ଆସେ ନାହିଁ । ଏହି ହେତୁରୁ ଯାହାକୁ ସାନ ସାନ କଷ୍ଟ ସବୁବେଳେ ଭୋଗ କରିବାକୁ ହୁଏ, ତାହାର ଚିତ୍ତର ପ୍ରସାଦ ଥାଏ ନାହିଁ । ମୁଁ କିପାଇଁ ଆଗୁଁ ସାବଧାନ ନହେଲି, ଏହି ଅନୁତାପ ମଧ୍ୟ ସେହି କଷ୍ଟମାନଙ୍କୁ ଦ୍ୱିଗୁଣିତ କରେ । ଦୁର୍ଭାଗ୍ୟର ରୀତି ଏହି କି ସେ ଅଳ୍ପ ଅନବଧାନ-ଲବ୍‌ଧ ଛିଦ୍ର ଦେଇ ପୁରୁଷର ସୁଖ-କଳସରେ ପ୍ରବିଷ୍ଟ ହୁଏ, ପ୍ରବିଷ୍ଟ ହୋଇ ଘୋଟିଯାଇ ବିଷାକ୍ତ କରେ । ଏଡ଼େ ସାନ ଛିଦ୍ର ଦେଇ ଏପରି ଅନର୍ଥ ଆସିବ, ଏହା ଆଗରୁ ଜଣାନଥାଏ । ଏଣୁ ଦୁର୍ଭାଗ୍ୟଗ୍ରସ୍ତ ଲୋକକୁ କ୍ଷୁବ୍‌ଧ ଓ ବିସ୍ମିତ ହେବାକୁ ହୁଏ ।

 

କେତେଗୁଡ଼ିଏ ଉଚ୍ଚମନସ୍କ ଲୋକ ଅଛନ୍ତି ଯେ, ସେମାନେ ଯାହା କରନ୍ତି ସେଥିରେ ସେମାନଙ୍କର ସନ୍ତୋଷ ଉପୁଜେ ନାହିଁ । ହିତାହିତଜ୍ଞାନର ଅନନୁମୋଦିତ କାର୍ଯ୍ୟକୁ ପ୍ରଶୟ ଦେବା ଆମ୍ଭର ଏ ଉକ୍ତିର ଉଦ୍ଦେଶ୍ୟ ନୁହଇ । ଆମ୍ଭର ଉଦ୍ଦେଶ୍ୟ ଏତିକି, କେତେଗୁଡ଼ିଏ ନିତାନ୍ତ ଧର୍ମଭୀରୁ ସତ୍ୟପ୍ରିୟ ଲୋକ ଅଛନ୍ତି, ‘‘ମୋ ମନରେ ଯେପରି ଥିଲା, କାର୍ଯ୍ୟରେ ସେପରି ପାରିଲି ନାହିଁ’’ ସବୁବେଳେ ଏହିପରି ଭାଳି ଆପଣାକୁ ଧିକ୍‌କାର ଦିଅନ୍ତି। ସେମାନଙ୍କର ଏହା ଜାଣିବାର ଉଚିତ କି ଆମ୍ଭେମାନେ କଳ୍ପନାକୁ ଯେବେ କାର୍ଯ୍ୟରେ ପରିଣତ କରିପାରନ୍ତୁ, ତେବେ ମର୍ତ୍ତ୍ୟ ସ୍ୱର୍ଗ, ନର ଅମର ହୁଅନ୍ତା । ତୁମ୍ଭେ କେଉଁ ଛାର ଲୋକ, ତୁମ୍ଭ ଆଗେ କେତେ ମହାନ୍ ଲୋକ ଚାଲିଯାଇଅଛନ୍ତି । ସେମାନେ ଯାହା ଯାହା ସମ୍ପାଦିଥିଲେ, ସେଥିରେ ସେମାନଙ୍କୁ ଅପରିସୀମ ପ୍ରତିଷ୍ଠା ମିଳିଥିଲା । ମାତ୍ର ସେମାନେ ସୁଦ୍ଧା ତୁମ୍ଭପରି ବୃଥା ବିଳାପ କରିଥିଲେ; ସେମାନଙ୍କ ମନରେ ଯାହା ଥିଲା, ସେଥିର ପାଦେ ମଧ୍ୟ କାର୍ଯ୍ୟରେ ପରିଣତ କରି ପାରି ନାହାନ୍ତି ।

 

ସଙ୍ଗୀତ ପ୍ରଭୃତି କଳାମାନ ମଧ୍ୟ ସାନ ସାନ କଷ୍ଟ ନିବାରଣର ପ୍ରଧାନ ଉପାୟ ଅଟେ। ଦାରୁଣ ବିପଦରେ ବିବେକ ଆଉ ଧର୍ମ ଏ ଦୁହିଁଙ୍କର ସାହାଯ୍ୟ ବ୍ୟତୀତ ଆଉ କାହିଁରେ କିଛି ଲଭ୍ୟ ହୁଏ ନାହିଁ । ମାତ୍ର ସାନ ସାନ କଷ୍ଟ ଶଂସିତ କଳାମାନଙ୍କରେ ଅଂଶତଃ ନିବାରିତ ହୋଇପାରେ ।

 

ଆଉ ଏକ ବିଷମ ଦୁର୍ବିପାକ ଅଛି, ସେଥିରେ ଚିତ୍ତର ସାନ୍ତ୍ୱନା ହେବାର କଠିନ ଅଟେ । କେହି କେହି କଳ୍ପନାପରତନ୍ତ୍ର ହୋଇ ଭାଳନ୍ତି, ଆମ୍ଭର ଏହି ଅଭିଳାଷ ଚରିତାର୍ଥ ହେଲେ ଚିରସୁଖୀ ନୋହିଲେ ଚିରଦୁଃଖୀ ହେବୁଁ । ଦୁର୍ଦୈବ ଯୋଗୁଁ ସେହି ଚିରପୋଷିତ ଆଶା ଫଳବତୀ ହୁଏ ନାହିଁ । ଭଗ୍ନାଂଶ ବ୍ୟକ୍ତିର ମନ ସେହିଦିନଠାରୁ ଭଗ୍ନ ହୋଇଯାଏ । ସେହି ସେହି ଅଲବ୍‌ଧ ସୁଖର ଉଜ୍ଜ୍ଵଳ ଓ ମନୋହର ମୂର୍ତ୍ତିକୁ ଉଚ୍ଛୃଙ୍ଖଳ କଳ୍ପନା ଉଜ୍ଜ୍ଵଳତର, ମନୋହରତର କରି ହୃଦୟପ୍ରାଙ୍ଗଣରେ ନର୍ତ୍ତନ କରାଉଥାଏ । ସଂସାର କାରଗାର ପ୍ରାୟ ଦିଶେ । ଏଥିପରେ ଯେବେ ଅନ୍ୟାନ୍ୟ ବିଷୟରେ ସେହି ବ୍ୟକ୍ତିର ସମୃଦ୍ଧି ଥାଏ, ତେବେ ତାହାକୁ ଆନ୍ତରିକ ନିର୍ବେଦର ପରାକାଷ୍ଠା ଭୋଗ କରିବାକୁ ହୁଏ । ସମୃଦ୍ଧି ବିଡ଼ମ୍ବନାବତ୍ ପ୍ରତିଭାତ ହୁଏ ।

 

ଏପରି ନିର୍ବେଦର ଶାନ୍ତି ସହଜରେ ହୁଏ ନାହିଁ । ତଥାଚ ଏହାର ସୁଦ୍ଧା ପ୍ରତିକାର ଅଛି । ମନେକର, ସେହି ଚିରଅଭିଳଷିତ ପଦାର୍ଥର ଅଧିକାରୀ ହେଲ ଜାଣି ସେଥିରୁ ଯେତେ ସୁଖ ଲଭିବାର ଆଶା ଥିଲା, ଏବେ ଅଧିକାରୀ ହୋଇ ସେହି ସୁଖ ସମ୍ପୂର୍ଣ୍ଣରୂପେ ପାଉଅଛଟିକି ? ଯେବେ ତୁମ୍ଭର କଳ୍ପନା ନିତାନ୍ତ ବିକୃତ ହୋଇନଥାଏ, ଏହି ପ୍ରଶ୍ନର ନିଷେଧମୁଖ ଉତ୍ତର ଦେବ । ଆଉ ତୁମ୍ଭର ଏହା ଭାଳିବାର ଉଚିତ ଅଟେ ଯେ ସେହି ସୁଖ ଲବ୍‌ଧ ହେଲେ ତୁମ୍ଭଙ୍କୁ ସବୁବେଳେ ଶଙ୍କାଯୁକ୍ତ କରାଉଥିବ। ସ୍ନେହ ଥିଲେ ଅନିଷ୍ଟାଶଙ୍କା ହୁଏ । ଧନଜନ ପରିବାରାଦି ସ୍ୱାତନ୍ତ୍ର୍ୟବିରୋଧୀ ଅଟନ୍ତି ।

 

ପରିଶେଷରେ ଏହା ବକ୍ତବ୍ୟ ଯେ, ଯେତେପ୍ରକାର ଦୁଃଖ ଅଛି, ପ୍ରତ୍ୟେକରୁ ଗୋଟିଏ ଗୋଟିଏ ଅଭ୍ରାନ୍ତ ଉପଦେଶ ଲାଭ ହୁଏ । ବାସ୍ତବରେ ଦୁଃଖ ବହୁଦର୍ଶିତାର ପରିମାପକ ଅଟଇ । ଜଣେ ମହାନ୍ ବ୍ୟକ୍ତି ଇଚ୍ଛାପୂର୍ବକ୍ ଆପଣାକୁ ବିପଦରେ ପକାଉଥିଲେ । ତାହାଙ୍କର ଅବଲମ୍ବିତ ଉପାୟ ଗର୍ହଣୀୟ ହେଲେହେଁ ଉଦ୍ଦେଶ୍ୟ କେଡ଼େ ଉଦାର ଥିଲା, ଭାବୁକ ପାଠକେ ବୁଝିପାରିବେ । ବିପଦ ଲୋଡ଼ି ଜ୍ଞାନ ଲଭିବାର ଚେଷ୍ଟା ସଦ୍‌ଯୁକ୍ତିର ଅନୁମୋଦିତ ନୁହଇ । ଚିକିତ୍ସକ ପ୍ରାୟ ଘରେ ବସିଥାଅ । କେତେ ପ୍ରକାର ନୂଆ ରୋଗୀ ଦେଖି ଦିନକୁ ଦିନ ନୂଆ ରୋଗରୁ ନୂଆ ଜ୍ଞାନ ଲଭୁଥାଅ-

 

ଆମ୍ଭର ଏହା ସ୍ମରଣ କରିବାର ବିହିତ ଅଟେ କି, କେଡ଼େ କେଡ଼େ ଲୋକ ଚିରଜୀବନ ଯାତନା ଭୋଗ କରିଅଛନ୍ତି । କେତେ ସୁଖାର୍ହ ଲୋକ କାରଗାରରେ ଚିରରୋଗରେ ଅନ୍ୟାୟ ଉପଦ୍ରବରେ ଚିରଦିନ ଯାପନ କରିଅଛନ୍ତି । ସେଥିପାଇଁ ଲବମାତ୍ର ବିଳାପ କରିନାହାନ୍ତି । ଆମ୍ଭେ କେଡ଼େ ଛାର ଅଟୁଁ । ମନୁଷ୍ୟର ମନ ନଦୀପ୍ରବାହ ପରି କୌଣସି କୌଣସି ସ୍ଥଳରେ ଆବିଳ ହେଉଅଛି । ନଦୀପ୍ରବାହ ପ୍ରାୟ କିଛିଦୂର ଯାଇ ପୁଣି ତାହାର ପ୍ରାକୃତିକ ନିର୍ମଳତାକୁ ଲଭୁଅଛି । ମୁଁ ଏହି ଚିନ୍ତାରେ ମଗ୍ନଥିଲି । ମେଘ ଛାଡ଼ିବ ନାହିଁ, ଦିନଯାକ ବର୍ଷା ହେବ, ଏହା ଭାଳିଥିଲି । ମାତ୍ର ମେଘ କଟିଗଲା, ସୂର୍ଯ୍ୟ ବାହାରିଲେ । ବୃକ୍ଷପତ୍ରାଗ୍ରରେ ଲମ୍ବିତ ଜଳବିନ୍ଦୁରେ ରବିକିରଣ ପତିତ ହୋଇ ଇନ୍ଦ୍ରଧନୁ ପ୍ରଭାପୁଞ୍ଜ ପ୍ରାୟ ଦିଶିଲା । ଆର୍ତ୍ତି ଏବଂ ଭକ୍ତିର ଏକତ୍ର ସମାବେଶ ପ୍ରାୟ ମନୋହର ଦିଶିଲା । ପ୍ରକୃତିଙ୍କର ତାତ୍କାଳିକ ଶୋଭା ସନ୍ଦର୍ଶନ ନିମନ୍ତେ ମୁଁ ଘରୁ ବାହାରିଲି ।

 

ବିଳମ୍ବରେ କ’ଣ ଶିକ୍ଷା ହୁଏ, ତାହା ଟିକକ ଭିତରେ ବୁଝିପାରିବ । କେତେଗୁଡ଼ିଏ ତତ୍ତ୍ଵ ଅଛି, ଶିଖିବାକୁ ଅନେକଦିନ ଲାଗେ । କେତେଗୁଡ଼ିଏ ନୀତି ଅଛି, ଶିଖୁ ଶିଖୁ ଯୁଗ ବହିଯାଏ । ସେହି ତତ୍ତ୍ଵ, ସେହି ନୀତିମାନ ସହଜରେ ବୁଝାନଯାଏ ଏମନ୍ତ ନୁହେ । କଥାଗୁଡ଼ିକ ସରଳ, ଏପରି ହେତୁମୂଳକ ନୁହେ ଯେ ସେହି ହେତୁର ଯାଥାର୍ଥ୍ୟ ଚଞ୍ଚଳ ଜଣାପଡ଼ିବ । କଥାଗୁଡ଼ିକ ସତ୍ୟ, ଶୁଣିଲାକ୍ଷଣି ପ୍ରତୀୟମାନ ହେବ । ତେବେ ଶିଖିବାକୁ ଏତେ ଦିନ କିପାଇଁ ଗଲା ? କାରଣ ଏତିକି, ସେମାନଙ୍କ ସମ୍ବନ୍ଧରେ ହୃଦୟ ଆଉ ମସ୍ତିଷ୍କର ମତଭେଦ ହୁଏ । ଆମ୍ଭର କିପରି ଭାଳିବାର ଉଚିତ୍‌, କ’ଣ କରିବାର ବିହିତ, ତାହା ସହଜରେ ଜଣାପଡ଼େ; ମାତ୍ର ଆନପ୍ରକାର ଭାଳିବାକୁ, ଆନପ୍ରକାର କରିବାକୁ ସବୁବେଳେ ପ୍ରବୃତ୍ତି ହେଉଥାଏ ।

 

ଅନେକ ବିଷୟ ଅଛି, ଶିଖିବାକୁ ଅନେକ ଦିନ ଲାଗେ । ଫଳା ଶିଖିବାକୁ ଅନେକ ଦିନ ଲାଗେ, ପଣିକିଆ ଶିଖିବାକୁ ଅନେକ ଦିନ ଲାଗେ । ମାତ୍ର ଆମ୍ଭେମାନେ ଏପରି ବିଷୟମାନଙ୍କୁ ଲକ୍ଷ୍ୟ କରୁ ନାହିଁ । କେତେଗୁଡ଼ିଏ ମନୁଷ୍ୟ ସେମାନଙ୍କୁ କବି କରି ନାହାନ୍ତି, ଏହା ଶୀଘ୍ର ବୁଝି ପାରନ୍ତି ନାହିଁ । ସେମାନେ କେତେ ଚୌପଦୀ ରଚନ୍ତି, ରସିକତାର ପରିଚୟ ଦେବାପାଇଁ କଥା କହଁ କହୁଁ ଢଗ ବୋଲନ୍ତି, ନିରୀହ ଲୋକଙ୍କୁ ଦେଖି କେତେ ବ୍ୟଙ୍ଗ କରନ୍ତି । ଏହିପରି ଦିନ ଯାପି ସ୍ଥବିରତାକୁ ଲଭନ୍ତି । ଆମ୍ଭେମାନେ ଏହିପରି ବିଷୟମାନଙ୍କୁ ଲକ୍ଷ୍ୟ କରୁଅଛୁଁ ।

 

ବିଳମ୍ବରେ ଅନେକ ବିଷୟ ଶିଖାଯାଏ । ସଂସ୍କୃତ ଭାଷା ଶିଖିବାକୁ ଅନେକ ଦିନ ଲାଗେ, ଅନେକ ଶ୍ରମ ଅପେକ୍ଷା କରେ; ମାତ୍ର ବ୍ୟୁତ୍ପତ୍ତି ଲଭିଲା ଉତ୍ତାରୁ ଆଉ କଷ୍ଟ ନାହିଁ । ବିସର୍ଗସନ୍ଧି ସୂତ୍ରଗୁଡ଼ିକ ଶିଖିଲା ରାତିରେ ନିଦ୍ରା ହେବା ଆଗେ ସୂତ୍ରଗୁଡ଼ିକ ମନେ ମନେ ଆବୃତ୍ତି କରୁଅଛ, ଆଉ ତୁମ୍ଭର ସନ୍ଦେହ ନାହିଁ, ‘‘ଏ କଅଣ ସତ’’, ଏପରି ଶଙ୍କା ଆଉ ମନରେ ଜାତ ହେଉ ନାହିଁ । ତୁମ୍ଭେ ଆଉ ମନରେ ପାଞ୍ଚୁ ନାହଁ, ‘‘ଏ ନୁହେ ପରା !’’ ବିଳମ୍ବରେ ଶିଖିଲ; ମାତ୍ର ଯେବେ ଶିକ୍ଷା ହେଲା, ଆଉ ସଂଶୟ ନରହିଲା । ମାତ୍ର ଏମନ୍ତ କେତେଗୁଡ଼ିଏ କଥା ଅଛି ଯେ, ସେମାନଙ୍କର ହେତୁ ଓ ଯଥାର୍ଥ୍ୟ ସ୍ପୁଟରୂପରେ ଜଣା ପଡ଼ିଲେ ସୁଦ୍ଧା ସେମାନଙ୍କର ବିଶ୍ୱାସ ସଂସ୍ଥିତ ହୁଏ ନାହିଁ; ସେହି କଥାଗୁଡ଼ିକ ତୁମ୍ଭକୁ କେହି ଯେବେ ବୁଝାଇଦେବେ, ତୁମ୍ଭେ ସହଜରେ ବୁଝିପାରିବ; ମାତ୍ର ଗ୍ରହଣ କରି ପାରିବ ନାହିଁ । ଗ୍ରହଣ କଲେ ମହୀ ଉଲଟିଗଲାପରି ଦିଶିବ। କେତେଗୁଡ଼ିଏ କଥା ଅଛି, ମସ୍ତିଷ୍କ କହୁଅଛି ‘‘ଏଗୁଡ଼ିକ ସତ’’; ମାତ୍ର ତୁମ୍ଭର ଏପରି କୁଅଭ୍ୟାସ ଜନ୍ମିଅଛି ଯେ, ସେଥିଯୋଗୁଁ ତୁମ୍ଭେ ସେଗୁଡ଼ିକୁ ମିଥ୍ୟା ଭାଳୁଅଛ, ଅଥବା ମିଥ୍ୟା ଭାଳିବାକୁ ସବୁବେଳେ ଉତ୍ସୁକ ଅଟ । ସେହି କଥାଗୁଡ଼ିକ ପ୍ରଥମେ ଶିଖିବାକୁ ଅନେକ ଆୟାସ ଅପେକ୍ଷା କରେ ଏମନ୍ତ ନୁହେଁ; ମାତ୍ର ଥରକରେ ଶିଖି ପାରିବ ନାହିଁ । ଏହି ତତ୍ତ୍ୱମାନ ଅନେକ କଷ୍ଟରେ ଆୟତ୍ତ ହୁଏ । ଶିକ୍ଷାବେଳେ ଅତ୍ୟନ୍ତ ବିସ୍ୱାଦ ଲାଗେ, ପଛକୁ ସତ୍ୟ ଓ ଅଭ୍ରାନ୍ତ ବୋଲି ପ୍ରତିଭାତ ହୁଏ; ତୀକ୍ଷ୍‌ଣ କର୍କଶ ବିଘ୍ନ-ଲେଖନ ହୃଦୟପତ୍ରରେ ତତ୍ତ୍ୱଗୁଡ଼ିକୁ ଲେଖିଦେଇଯାଏ । ଦିନ ଗଲା, ମାସ ଗଲା, ହୃଦୟପୋଥି ଫିଟାଇ ଦେଖ, ସେ ଧାଡ଼ିଗୁଡ଼ିକ ଲିଭିଯାଇଅଛି; କେବଳ ଲିଭିଯାଇଅଛି ଏମନ୍ତ ନୁହେ ସେହି ସ୍ଥାନରେ ସେଥି ପରିବର୍ତ୍ତରେ ସେଥିର ବିପରୀତ କଥାଗୁଡ଼ିକ ଅଙ୍କିତ ହୋଇଅଛି । ଏହିପରି ତତ୍ତ୍ୱମାନଙ୍କ ସମ୍ବନ୍ଧରେ ଆମ୍ଭେ ଦୁଇ ଚାରି କଥା କହିବୁଁ ।

 

ଏହି ତତ୍ତ୍ୱଗୁଡ଼ିକ ଆମ୍ଭମାନଙ୍କର ସ୍ପୃହା ବିରୋଧୀ ଅଟନ୍ତି । ଶିକ୍ଷାବେଳେ ସେମାନଙ୍କର ଯାଥାର୍ଥ୍ୟ ଚଞ୍ଚଳ ହୃଦୟଙ୍ଗମ ହୁଏ; ମାତ୍ର କ୍ରମରେ ଆମ୍ଭେମାନେ ସେଗୁଡ଼ିକ ପାସୋରିପକାଉଁ, ପୁଣି ପୂର୍ବ ମତକୁ ଲେଉଟିଆସୁଁ । ଦୁଇରେ ଦୁଇ ମିଶାଇଲେ ଚାରିହୁଏ, ଥରେ ଜଣକୁ ଏହା ବୁଝାଇଦିଅ, ସେ ଅବିଚଳିତଚିତ୍ତରେ ଶିଖିବ, ସେ ବିଷୟରେ ତାହାର ସନ୍ଦେହ ଜାତ ହେବ ନାହିଁ; ମାତ୍ର ତାହାକୁ କହ, ‘‘ତୁମ୍ଭେ ଆପଣାକୁ ଯେଡ଼େ ଲୋକ ମଣ, ବାସ୍ତବରେ ତୁମ୍ଭେ ସେପରି ନୁହଁ ।’’ କୌଣସି ସ୍ତ୍ରୀକୁ କହ, ‘‘ସମସ୍ତଙ୍କର ପୁଅ ଯେପରି, ତୁମ୍ଭ ପୁଅ ସେହିପରି,’’ କୌଣସି ଗ୍ରନ୍ଥକାରକୁ କହ, ‘‘ତୁମ୍ଭେ ଯେ ଗ୍ରନ୍ଥ ରଚିଅଛ, ଏମନ୍ତ ଗ୍ରନ୍ଥ ଅନେକ ଅଛି,’’ କହିଲା କ୍ଷଣି ତୁମ୍ଭେ ଦେଖିବ, ତୁମ୍ଭ କଥା ତାହାର ହୃଦୟଙ୍ଗମ ହେଲା ନାହିଁ । ହୃଦୟଙ୍ଗମ ହେଲେ ସୁଦ୍ଧା ସ୍ୱଳ୍ପକାଳ ମଧ୍ୟରେ ମନରୁ ତିରୋହିତ ହେବ ।

 

ଯେଉଁମାନେ ମନର ସମଧିକ ଉତ୍କର୍ଷ ସାଧି ନାହାନ୍ତି, ସେମାନଙ୍କୁ ତୁମ୍ଭେ ଯେବେ ସେହିପରି କହିବ, ତେବେ ଦେଖିବ, ସେ ତୁମ୍ଭର ଯୁକ୍ତିର ପ୍ରତିଯୁକ୍ତି ନ ଦର୍ଶାଇ ହାତ ଗୋଡ଼ କଚାଡ଼ି ତର୍ଜନ ଗର୍ଜନ କରିବେ । ପ୍ରକୃତ ପ୍ରସଙ୍ଗ ଛାଡ଼ି ତୁମ୍ଭେ ଆଗେ କ’ଣ ଥିଲ, ତୁମ୍ଭ ବାପା କେମନ୍ତ ଲୋକ ଥିଲେ, ତୁମ୍ଭର ଅବସ୍ଥା କିପରି ଥିଲା, ତୁମ୍ଭ ଚରିତ୍ର କେମନ୍ତ ଅଟେ, ତୁମ୍ଭେ ଦେଖିବାକୁ କିପରି, ହିଂସାସୂଚକ ସ୍ମିତ ସହିତ ଏହି କଥାମାନଙ୍କର ଆଲୋଚନା କରିବେ। ଶେଷକୁ ଦେଖିବ, ତୁମ୍ଭ ବନ୍ଧୁମାନେ ଆସି ତୁମ୍ଭକୁ ସାବଧାନ ହୋଇ ଚଳାଇବାପାଇଁ ଏହି ଉପଦେଶ ଦେବେ, ‘‘ତୁମ୍ଭେ ତାହାକୁ କାହିଁକି ଏପରି କଥା କହିଲ, ଏମନ୍ତ କଲେ ସମସ୍ତେ ତୁମ୍ଭକୁ ଧୃଷ୍ଟ ଓ ନିର୍ବୋଧ ବୋଲିବେ-।’’ ଅଜ୍ଞମାନେ ତ ଏହିପରି ବିଜ୍ଞଲୋକ, ଯେଉଁମାନେ ମନର ଉତ୍କର୍ଷ ସାଧୁଅଛନ୍ତି ବୋଲି ଅଭିମାନ କରନ୍ତି, ସେମାନଙ୍କୁ ଯେବେ ଅପ୍ରିୟ ସତ୍ୟ ବୋଲିବ, ସେମାନେ ବାହାରେ ତୁମ୍ଭଠାରେ ରୁଷ୍ଟ ହେବେ ନାହିଁ; ମାତ୍ର ମନରେ ଅଳ୍ପ ହେଉ ବା ଅଧିକ ହେଉ ଅବଶ୍ୟ ଦୁଃଖିତ ହେବେ । ଦେହରେ ବ୍ରଣ ହେଲେ ବୈଦ୍ୟ ଯେତେବେଳେ ତାହାକୁ ଚିରିଦିଏ, ସେତେବେଳେ ବୈଦ୍ୟ ଆମ୍ଭର ଭଲକରୁଅଛି ବୋଲି କେତେ ଲୋକ ଆହ୍ଳାଦିତ ହୁଅନ୍ତି ? ଚିରିବା ବେଳ କଥା ଛାଡ଼ିଦିଅ । ଆରୋଗ୍ୟ ଲଭିଲା ଉତ୍ତାରୁ ତୁମ୍ଭେ ଯେତେ ଥର ବୈଦ୍ୟକୁ ଦେଖିବ, ତୁମ୍ଭ ମନରେ କୃତଜ୍ଞତାର ଉଦ୍ରେକ ନ ହୋଇ ବରଂ ସେହି ବ୍ରଣ ବିଦାରଣ କଷ୍ଟ ସ୍ମୃତିମାର୍ଗକୁ ଆସିବ । ‘‘ସତ୍ୟଂ ବ୍ରୂୟାତ୍ ପ୍ରିୟଂ ବ୍ରୂୟାତ୍ ସତ୍ୟମପ୍ରିୟଂ ।’’ ଯେଉଁ ବ୍ୟକ୍ତି ଏହା କହିଥିଲେ, ସେ ଅନେକ ଦେଖି ଶୁଣି କହିଥିଲେ । ହିତାହିତଜ୍ଞାନାଭିମାନୀ ମାନେ ଏହି ଚରଣଦ୍ୱୟ ଶୁଣିଲାକ୍ଷଣି ହସନ୍ତି । ‘‘ସତ୍ୟକଥା କହିବୁଁ, ସେଥିରେ ଭୟ କ’ଣ ? କାହାରି କଷ୍ଟ ହେଲା ତ ହେଲା ।’’ ବଢ଼ିଲେ ଜାଣିବେ, ବାସ୍ତବରେ ଅପ୍ରିୟ ସତ୍ୟ ଦଶମୂଳ ପାଞ୍ଚନ ପରି ଲାଗେ । ଯେଉଁମାନଙ୍କୁ ମହୁ ପରି ଲାଗେ, ସେମାନେ ମହୀରେ ନାହାନ୍ତି ।

 

ଆମ୍ଭେମାନେ ଆପଣାକୁ ଯେଡ଼େ କରି ମଣୁ, ବାସ୍ତବରେ ଆମ୍ଭେମାନେ ସେପରି ନୋହୁଁ-। ଆମ୍ଭେମାନେ ଜୀଇଁଲେ ଅତି ଲୋକର ସ୍ୱାର୍ଥସିଦ୍ଧି, ମଲେ ଅତି ଅଳ୍ପ ଲୋକର ସ୍ୱାର୍ଥହାନି ହେବ । କେହି ଆମ୍ଭମାନଙ୍କ କଥା ପ୍ରତିଦିନ ଭାବୁ ନାହାନ୍ତି, ଏହା ହୃଦଙ୍ଗମ ହେବାକୁ ଅନେକ ଦିନ ଲାଗେ । ଅନେକ ନୀଚ ବ୍ୟକ୍ତି ଆପଣାକୁ ସବୁଠାରୁ ବଡ଼ କରି ମଣନ୍ତି । କୌଣସି ଦ୍ରବ୍ୟ ଆଣିବା ନିମନ୍ତେ ଭୃତ୍ୟକୁ ବଜାରକୁ ପଠାଇବା ବେଳେ କହନ୍ତି, ‘‘କହିବୁ, ଦୀନବନ୍ଧୁବାବୁ ପଠେଇଛନ୍ତି; ଏହିତା କହିଲେ ସେ ବେଶି ଦେବ ।’’ ଦୀନବନ୍ଧୁବାବୁ ଜାଣନ୍ତି ଯେ ଅନେକ ବାବୁ ଅଛନ୍ତି, ଅନେକ ବାବୁ ଦୋକାନୀଠାରୁ ସଉଦା ନିଅନ୍ତି, ମାତ୍ର ଦୋକାନୀ ଦୀନବନ୍ଧୁବାବୁଙ୍କଠାରେ ଯେପରି କରିବ, ସମସ୍ତଙ୍କଠାରେ କ’ଣ ସେପରି କରିବ ? କେବଳ ଦୀନବନ୍ଧୁବାବୁ ଏକା ଏପରି ପାଞ୍ଚନ୍ତି ଏମନ୍ତ ନ ମଣ । ପ୍ରତ୍ୟେକ ବାବୁ ମନେ ମନେ ଜାଣନ୍ତି, ‘‘ସମସ୍ତଙ୍କଠାରେ ଯେପରି, ମୋ’ ଠାରେ ସେଥିରୁ ବଳି କରିବ ।’’ ଦୋକାନୀ ଲୋକମାନଙ୍କର ଏହି ଲଘିମା ଭଲରୂପେ ଜାଣେ, କ୍ରେତାମାନଙ୍କର ଭ୍ରାନ୍ତ ସୁଭଗମ୍ମନ୍ୟତା ବାକ୍ୟରେ ଚରିତାର୍ଥ କଲେ ତାହାର ଲାଭ ବିନୁ କ୍ଷତି ନାହିଁ । ତେଣୁ ସଉଦା ଦେଲାବେଳେ କହେ, ‘‘ଏ ଚାଉଳ ଭାଉ ଟଙ୍କାକୁ ପନ୍ଦର ସେର; ମାତ୍ର ଦୀନବନ୍ଧୁବାବୁ ବୋଲି ମୁଁ ଅଠର ସେର ଭାଉରେ ଦେଲି ।’’ ଦୋକାନୀ କେବଳ ଦୀନବନ୍ଧୁବାବୁଙ୍କ ଭୃତ୍ୟକୁ ଏପରି କହେ ଏମନ୍ତ ନୁହେଁ, ସବୁ ବାବୁଙ୍କ ଭୃତ୍ୟକୁ ସେହିପରି କହେ । ନିଷ୍ଠା ଜାଣିଥିବ, ମନୁଷ୍ୟମାନଙ୍କର ଏହି ସୁଭଗମ୍ମନ୍ୟତା ଯେବେ ନଥାନ୍ତା, ଖୁଚୁରା ବିକ୍ରେତାମାନଙ୍କର ଜୀବିକା ଭଲରୂପେ ଚଳିପାରନ୍ତା ନାହିଁ-। ଦୀନବନ୍ଧୁବାବୁଙ୍କୁ କହ, ‘‘ଦୋକାନୀ ତୁମ୍ଭଙ୍କୁ ଯେମନ୍ତ ଦେବ, ତୁମ୍ଭ ପଡ଼ିଶା ରାମବାବୁଙ୍କୁ ସେହିପରି ଦେବ।’’ ଦୀନବନ୍ଧୁବାବୁ କୋପରେ ଜଳିଯିବେ । ‘‘ସମସ୍ତେ ଯେପରି ମୁଁ କ’ଣ ସେହିପରି-? ମୋତେ କ’ଣ ଆଉ ଲୋକ ପରି ପାଇଛ କି ?’’

 

ଦୀନବନ୍ଧୁବାବୁଙ୍କୁ ପଚାର, କାହିଁକି ସେ ଆଉ ଲୋକ ପରି ନୁହନ୍ତି, ସେ ସେଥିର କାରଣ ଲୋଡ଼ିବେ ନାହିଁ । ସେ ଜାଣନ୍ତି, ସେ ଆଉ ଲୋକ ପ୍ରାୟ ନୁହନ୍ତି; ଏଣୁକରି ସେ ଆଉ ଲୋକଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ମନୁଷ୍ୟମାନେ ବାସ୍ତବରେ ଯେଉଁ ଶ୍ରେଣୀର ଅଟନ୍ତି, ସେହି ଶ୍ରେଣୀଭୁକ୍ତ ହେବାକୁ ସେମାନଙ୍କର ପ୍ରବୃତ୍ତି ହୁଏ ନାହିଁ । ଜଣେ ଅଳ୍ପ ବୟସ୍କ ଚତୁଷ୍ଠାଠୀଶିଷ୍ୟ ଏକ ପଣ୍ଡିତଙ୍କ ସଙ୍ଗେ କଥା କହୁଁ କହୁଁ କହିଲା, ‘‘ମୁଁ ମୁକ୍ତାବଳୀ ସାଙ୍ଗ କରିଛି ।’’ ପଣ୍ଡିତ ବୋଇଲେ, ‘‘ହଁ, ଅନେକ ଛାତ୍ର ଅଳ୍ପବୟସରେ ମୁକ୍ତାବଳୀ ସାଙ୍ଗ କରନ୍ତି ।’’ ଶିଷ୍ୟ ହୃଦୟରେ ଶେଳ ଫୁଟିଲା । ‘‘କ’ଣ ! ଅନେକ ଛାତ୍ର ଏମନ୍ତ ଅଛନ୍ତି, ଏହିତା ଶୁଣିବାପାଇଁ ମୁଁ କ’ଣ ଏଡ଼େ ଶ୍ରମ କରିଥିଲି ? ଏହିତା ଶୁଣିବା ପାଇଁ ସହାଧ୍ୟାୟୀମାନଙ୍କୁ ବଳିପଡ଼ିଲି ? ଏଇଥିପାଇଁ ମୁଁ କ’ଣ ଆପଣାକୁ ଆଲାକସାମାନ୍ୟ ମଣୁଥିଲି ?’’ ଏହି ଦେଖ ପାଠକେ, ଶ୍ରେଣୀରେ ଭୁକ୍ତ ହେବାପାଇଁ କେଡ଼େ ଅରୁଚି । ପ୍ରଥମାଷ୍ଟମୀରେ କେତେଗୁଡ଼ିଏ ପିଲା ଏକମେଳ ହୋଇ ଖେଳୁଥିଲେ । ଗୋଟିଏ ସ୍ତ୍ରୀ ସେମାନଙ୍କୁ ଦେଖି ସହଚାରିଣୀ ଆନ ଗୋଟିଏ ସ୍ତ୍ରୀକୁ କହିଲା, ‘‘ଏତେ ପିଲା ଖେଳୁଅଛନ୍ତି, ମୋ ମଧୁକୁ ଦେଖିଲଣି !’’ ପ୍ରମାଣ ଅଟେ । ମଧୁ ତାହା ଜନନୀ ନୟନକୁ ଆଉ ସବୁ ପିଲାଠାରୁ ଭଲ ଦିଶୁଥିଲା । ମାତ୍ର ମଧୁ ଜନନୀ ମନେ ମନେ ପାଞ୍ଚିଲା ଯେ, ସବୁ ମନୁଷ୍ୟ ନୟନକୁ ମଧୁ ସେହିପରି ଦିଶୁଥିବ । ଧ୍ରୁବ ଜାଣିଥିବ, ଆମ୍ଭେମାନେ ଅନ୍ୟ ଲୋକପରି, ଏହି ତତ୍ତ୍ୱଶିକ୍ଷା ଅନେକ ଦିନରେ ହୁଏ, କେଉଁ କେଉଁ ଲୋକର ଏ ଜନ୍ମରେ ହୁଏ ନାହିଁ । କୌଣସି ଲୋକ କୌଣସି କାର୍ଯ୍ୟ କରିବାକୁ ମୋଡ଼ିହେଲେ ଆମ୍ଭେମାନେ କହୁଁ, ‘‘ଭଲା ମୋ କୁହାରେ କର ।’’ ପାଠକେ ! ଏପରି କହ କି ନାହିଁ ? ସମସ୍ତେ ଏପରି କହନ୍ତି । ‘‘ତୁମ୍ଭ କୁହାରେ କରିବି, ଅନ୍ୟ କୁହାରେ ନ କରିବି ?’’ ନ୍ୟାୟସଙ୍ଗତ ହେଲେ ହେଁ ଏ ବଡ଼ କର୍ଣ୍ଣକଟୁ ଉତ୍ତର ଅଟେ । ଏପରି ଉତ୍ତର କାହିଁକି ଆମ୍ଭମାନଙ୍କୁ ଭଲ ଲାଗେ ନାହିଁ ? କଥା ଏତିକି, ଆମ୍ଭେମାନେ ଯେପରି ସମସ୍ତେ ସେପରି, ଏହି ତତ୍ତ୍ୱ ଆମ୍ଭମାନଙ୍କର ହୃଦୟଙ୍ଗମ ହୋଇନାହିଁ ।

 

ଅନେକ ଲୋକ ଭାଳନ୍ତି ଯେ ସମସ୍ତେ ସେହିମାନଙ୍କ କଥା ରାତ୍ରଦିନ ଆନ୍ଦୋଳନ କରୁଅଛନ୍ତି, ସମସ୍ତେ ସେହିମାନଙ୍କ କଥା ଭାବୁଅଛନ୍ତି । ଏ ବିଷମ ଭ୍ରାନ୍ତି ଅଟେ । ଆପଣା କଥା ଭାବିଲା ଉତ୍ତାରୁ ଯେବେ କାହାରି ଅବସର ଥାଏ ସେହି ଲୋକ ସିନା ପର କଥା ଚର୍ଚ୍ଚା କରେ ? ମାତ୍ର ଏମନ୍ତ ଅବସର ପ୍ରାୟ ମିଳେନାହିଁ । ଯେଉଁମାନେ ଅନେକ ଯଶ ଲଭିଅଛନ୍ତି, ବିଶ୍ୱବିଖ୍ୟାତ ହୋଇଅଛନ୍ତି, ଯେଉଁମାନଙ୍କ ନାମ ସମସ୍ତଙ୍କ ତୁଣ୍ଡରେ ଶୁଭୁଅଛି, ଏମନ୍ତ ଲୋକମାନଙ୍କ କଥା ସୁଦ୍ଧା ଆମ୍ଭେମାନେ ଅତି ଅଳ୍ପ କାଳ ଭାବିଥାଉଁ । କାଳିଦାସ କେଡ଼େ ଲୋକ ଥିଲେ, କିଏ ଅବା ତାଙ୍କୁ ନ ଜାଣେ ? ମାତ୍ର କାଳିଦାସଙ୍କ ନାଁ ସ୍ୱାର୍ଥ ସଙ୍ଗେ ଓଜନ କରି ଦେଖ ମହଣକୁ ମସାଏ ସୁଦ୍ଧା ହେବ ନାହିଁ । କେତେଗୁଡ଼ିଏ କଥା ଅଛି, ଆମ୍ଭେ ସେଗୁଡ଼ିକ କରି ମନେ ମନେ ଭାଳୁଁ, ‘‘ମୁଁ ଅମୁକେଇ କଥା କଲି, ଲୋକେ କ’ଣ କହିବେ ?’’ କେହି କେହି ଗ୍ରନ୍ଥାକାର ନିଜ ରଚିତ ପୋଥିରେ ଗୋଟିଏ ଯୋଡ଼ିଏ ଭ୍ରମ ଦେଖି ଭାଳନ୍ତି, ‘‘ମୋତେ ଲୋକେ କ’ଣ କହୁଥିବେ, ମୁଁ କାହିଁକି ସାବଧାନ ହୋଇ ନ ଲେଖିଲି ? ଲୋକେ ପଢ଼ିଲାକ୍ଷଣି କେତେ ଗାଳି ଦେଉଥିବେ ?’’ ଜଣେ ଦିନେ ପାଗ ନ ବାନ୍ଧି କଚେରିକି ଯାଇଥିଲେ । କଚେରିରୁ ଆସି ରାତିଯାକ ଭାବିଲେ, ‘‘ମୁଁ କାହିଁକି ପାଗ ନ ବାନ୍ଧି ଗଲି, ଲୋକେ କ’ଣ କହୁଥିବେ ?’’ ତୁମ୍ଭ ପାଗବନ୍ଧାଠାରୁ ଲୋକଙ୍କର ଚିନ୍ତିବାପାଇଁ ବଡ଼ ବଡ଼ କଥା ଅନେକ ଅଛି । କାହିଁକି ସେଥିପାଇଁ ଏଡ଼େ ଆଶଙ୍କା କରୁଅଛ ? ଗ୍ରନ୍ଥକାର ! ତୁମ୍ଭ ପୋଥିରେ ଯେଉଁ ଭ୍ରମ ଅଛି, ତା କଥା ତେଣିକି ଥାଉ, ତୁମ୍ଭ ପୋଥି କଥା ସୁଦ୍ଧା କେହି ଭାବୁ ଅଛନ୍ତି କି ନାହିଁ ଆଗେ ସେହିତା ଦେଖ । ବାଟରେ ଚାଲୁଁ ଚାଲୁଁ କେହି କେହି ଲୋକ ଭାଳନ୍ତି ଯେ ସମସ୍ତେ ସେମାନଙ୍କୁ ଅନାଇ ରହି ଅଛନ୍ତି । ସେମାନଙ୍କ ଚାଲିରୁ ତୁମ୍ଭେ ଏହି ତର୍କଣା କରିପାରିବ। ଥରେ ଛାତିକୁ ଚାହାନ୍ତି, ରେ ବାହାକୁ ଚାହାନ୍ତି, ବାଳ ଟିକିଏ ବଙ୍କା ହୋଇଥିଲେ ସିଧା କରିଦିଅନ୍ତି । ବାସ୍ତବରେ ସେମାନଙ୍କ ଚାଲି ଏଡ଼େ ଅପ୍ରାକୃତିକ ଯେ, ତୁମ୍ଭେ ଦେଖିଲାକ୍ଷଣି ଜାଣିବ ଯେ ସେ ଜାଣିବ ଯେ ସେ ଲୋକ ଆପଣାକୁ ବଡ଼ କରି ଜାଣେ । ବିଶେଷତଃ ସଭାସ୍ଥାନମାନଙ୍କରେ ଏହି ଲଘିମା ସ୍ଫୁଟରୂପରେ ଜଣାପଡ଼େ । ସୁଭଗମ୍ମନ୍ୟ ଲୋକ କୌଣସି ସଭାକୁ ଆସିଲାକ୍ଷଣି କେତେ ସଙ୍କୁଚିତ ହୁଅନ୍ତି, କପଟ ନମ୍ରତା ଅବଲମ୍ବନ କରନ୍ତି । ବହୁଦର୍ଶୀମାନେ ସେହି ସଙ୍କୋଚ, ସେହି ନମ୍ରତାକୁ ବଡ଼ କରି ମଣନ୍ତି । ମାତ୍ର ସୂକ୍ଷ୍ମଦର୍ଶୀ ମୂଳରୁ ଅଗ ପର୍ଯ୍ୟନ୍ତ ଦେଖିନିଏ । ଯେଉଁମାନେ ବାସ୍ତବରେ ନୀଚମନା, ସେମାନେ ଯେବେ କୌଣସି ଉଚ୍ଚପଦକୁ ଲଭନ୍ତି, ସେମାନଙ୍କର ସୁଭଗମ୍ମନ୍ୟତା ଦେଖିଲାକ୍ଷଣି ଦେହ ଜଳିଯାଏ-। ଗର୍ବରେ ସେମାନଙ୍କର ମନ କେଡ଼େ ଫୁଲିଯାଇଅଛି, ସେମାନଙ୍କ ଭଙ୍ଗିରୁ ଉପଲ୍‌ବଧ ହୁଏ । ମଧ୍ୟଭଳି ବିଦ୍ୱାନ୍ ଲୋକଙ୍କ ମଧ୍ୟରେ ଏହି ଲଘିମାର ଉଦାହରଣ ନିକୁଚ୍ଛାରେ ଶହେରେ ୬୦ ମିଳିବ-। ସ୍କୁଲରେ ଯେଉଁ ଛାତ୍ରମାନେ ଉତ୍କର୍ଷଲଭିଥିବାର ପ୍ରତିଷ୍ଠା ପାନ୍ତି, ସେମାନଙ୍କ ମଧ୍ୟରୁ ଅନେକଗୁଡ଼ିଏ ଶଂସିତ ଲଘିମାର ବଶୀଭୂତ ହୁଅନ୍ତି । ଆମ୍ଭେ ଦିନେ ଗୋଟିଏ ପିଲାକୁ ପାରିତୋଷିକ ନେଇ ଘରକୁ ଆସୁଥିବାର ଦେଖିଲୁଁ । ତାହାର ଚାଲି, ଭଙ୍ଗି, ଚାହାଣିରୁ ଆମ୍ଭର ଧ୍ରୁବ ଉପଲବ୍‌ଧି ହେଲା ଯେ ସେ ଆପଣାକୁ ନିଧି କରି ଜାଣେ ଆପଣାକୁ ସମସ୍ତ ନୟନର ବିଷୟୀଭୂତ ମଣେ। ବାସ୍ତବରେ କେହି ତାକୁ ଅନାଉଁ ନଥିଲେ । କେହି କେହି ଆପଣା ମନସ୍ୱିତାର ପରିଚୟ ଦେବାପାଇଁ ଆଖି ଡୋଳାକୁ ଥରକୁଥର ଉଲଟାନ୍ତି, କଟମଟକରି ଚାହାନ୍ତି,‘‘ମତେ କ’ଣ ଜାଣ କି ? ମୁଁ ଅନ୍ତରଯାଏ ଦେଖୁଛି,’’ମନେ ମନେ ସେମାନେ ଏହିତା ଭାବୁଅଛନ୍ତି, ଏହା ସେମାନଙ୍କର ନେତ୍ରଭଙ୍ଗୀ କହିଦିଏ । ଦିନେ ଗୋଟିଏ ବଡ଼ ସଭା ହୋଇଥିଲା, ଅନେକ ଲୋକ ଆସିଥିଲେ । ଯେଉଁମାନେ ପ୍ରକୃତରେ ମହତ୍ ଏବଂ ବିଖ୍ୟାତନାମା ଥିଲେ, ସେମାନେ ଆସିଲେ, ସରଳ ଅବ୍ୟାଜଭାବରେ ଆସନ ଗ୍ରହଣ କଲେ । ଅନେକ ଲୋକ ଯେ ସେମାନଙ୍କ ଉପରେ ସକୌତୂହଳ ଦୃଷ୍ଟିପାତ କରୁଥିଲେ ତାହା ସେମାନେ ଜାଣିଥିବାର ବୋଧ ହେଲା ନାହିଁ । କେତେଗୁଡ଼ିଏ ବିଜ୍ଞ ମଧ୍ୟଭଳି ଲୋକ ଆସିଲେ, ସେମାନଙ୍କ ଆକୃତିରୁ ଜଣାଗଲା ଯେ ସେମାନେ ଆପଣାକୁ ବଡ଼ କରି ଜାଣନ୍ତି ନାହିଁ । ସ୍ୱଭାବରେ ଲୋକେ ଯେପରି ବସନ୍ତି, ସେମାନେ ସେହିପରି ବସିଲେ । ମାତ୍ର ଗୋଟିଏ ନୀଚମନା ଖ୍ୟାତିଲିପ୍‌ସୁ ଲୋକ ଆସିଲେ ତାଙ୍କୁ ଦେଖିଲାକ୍ଷଣି ହସ ମାଡ଼ିଲା । ତାଙ୍କ ଆକୃତିରୁ ଜଣାଗଲା ଯେ ସମସ୍ତେ ତାଙ୍କୁ ଅନାଇ ରହିଅଛନ୍ତି, ‘‘ଦେଖ, ଏହି ରଘୁବାବୁ ଆସିଲେ’’, ସଭାସ୍ଥ ଲୋକେ ଚକିତ ହୋଇ ପରସ୍ପର ଏହା କହୁଅଛନ୍ତି, ଏହିତା ସେ ମନେ ମନେ ଜାଣନ୍ତି ।

 

ଏହା ମଧ୍ୟ ଜାଣିବାର ବିହିତ କି ଯେ ଅନେକ ଲୋକ ତୁମ୍ଭ ଆଗରେ ବସିଅଛନ୍ତି, ମାତ୍ର ତୁମ୍ଭେ ଯେମନ୍ତ ଜାଣ ନାହିଁ, ଏପରି ବ୍ୟାଜ କରିବାର ଅତ୍ୟନ୍ତ ଗର୍ହଣୀୟ ଅଟେ; ଏପରି ବ୍ୟାଜକୁ ଅସଙ୍ଗତ ସୁଭଗମ୍ମନ୍ୟାତର ପରିମାପକ ଜାଣିଥିବ। ଆପଣାକୁ ଯେଡ଼େ କ୍ଷୁଦ୍ର ଜାଣିପାର ବିହିତ, ସେହିପରି ମଣିଲେ ଏବଂ ପ୍ରାକୃତିକ ରୀତି ଅନୁସରି ଚଳିଲେ କେହି ତୁମ୍ଭକୁ ପଦେ କହିବେ ନାହିଁ । ବାସ୍ତବରେ ଏହିପରି ବ୍ୟବହାର ନ୍ୟାୟାନୁମୋଦିତ ଅଟେ ।

 

ସୁଭଗମ୍ମନ୍ୟତା ଅନେକ କଥାରୁ ଚିହ୍ନା ପଡ଼େ । ଅହଙ୍କାରର କୃତ୍ରିମ ପରିହାର ସେଥିର ଗୋଟିଏ ଅଭ୍ରାନ୍ତ ପରିଚାୟକ ଅଟେ । ‘‘ଆପଣମାନଙ୍କ ପାକଲ୍ୟାଣରୁ ଏସବୁ, ମୁଁ କ’ଣ ଗୋଟାଏ ଲୋକ ?’’ କେହି କେହି କପାଳିଆ ଲୋକେ ଆପଣା ବିଭବ ଦେଖାଉଁ ଦେଖାଉଁ ଏହିପରି କହନ୍ତି । ମାତ୍ର ସେମାନଙ୍କ ନାଭିରୁ କଣ୍ଠ ପର୍ଯ୍ୟନ୍ତ ଅହଙ୍କାର ଭର୍ତ୍ତି ହୋଇଥାଏ, ବାହାରେ କୃତ୍ରିମ ବିନୟ କରନ୍ତି । ‘‘ମୋ ଜାଣିବାରେ ଅମୁକେଇ କଥା ନାକରା’’ ଏହା ନ କହି କେହି କେହି କହନ୍ତି- ‘‘ଅମୁକେଇ କଥା ନାକରା, ଏହା ସମସ୍ତେ ସ୍ୱୀକାର କରିବେ । ‘‘ପାଠକେ ! ନିଷ୍ଠା ଜାଣିଥିବ, ଶେଷ ଉକ୍ତିଟି ବାହାରେ ବିନୟସୂଚକ, ମାତ୍ର ପ୍ରକୃତରେ ନୁହେଁ । ‘‘ମୋ ଜାଣିବାରେ ଅମୁକେଇ କଥା ନାକରା’’ ଯେ ବ୍ୟକ୍ତି ଏହା କହେ, ସେ ସରଳ ମନରେ କହେ । ତାହାର ଆତ୍ମପର ଜ୍ଞାନ ନଥାଏ, ବିଷୟ ପ୍ରତି ଯେଡ଼େ ଦୃଷ୍ଟି ଆପଣା ପ୍ରତି ତେଡ଼େ ଦୃଷ୍ଟି ନାହିଁ। ମାତ୍ର ଯେ ବ୍ୟକ୍ତି କହେ, ‘‘ଏହା ସମସ୍ତେ ସ୍ୱୀକାର କରିବେ ଯେ ଅମୁକେଇ କଥା ନାକରା’’ ସେ ଅହଙ୍କାର ପରିହାର କଲେହେଁ ବାସ୍ତବରେ ଅହଙ୍କାରୀ ଅଟେ । ‘‘ମୁଁ’’ ଏହି ଶବ୍ଦ ପରିହାର କରିବାର ପ୍ରତିଜ୍ଞା କରି ଗୋଟିଏ ପ୍ରବନ୍ଧ ଲେଖ, ଦେଖିବ ସେହି ଶବ୍ଦଟି ଶହେ ଥର ତୁମ୍ଭ ମନରେ ପଡ଼ିବ, ତୁମ୍ଭ ଲେଖନୀରୁ ବାହାରିବ, ତୁମ୍ଭ ବିଷୟ ପ୍ରତି ମନୋ ନିବେଶ ଶହେ ଥର ବିଚଳିତ କରୁଥିବ । ଏପରି ଅପ୍ରାକୃତିକ ପ୍ରତିଜ୍ଞା ନ କରି କୌଣସି ବିଷୟ ଲେଖ, ଦେଖିବ ଆପଣା କଥା ମନରୁ ଏକାବେଳକେ ତିରୋହିତ ହେବ, ତୁମ୍ଭର ଅବିଭକ୍ତ ମନୋଯୋଗ କେବଳ ବିଷୟ ଉପରେ ନ୍ୟସ୍ତ ହେବ । ସେହି ପ୍ରବନ୍ଧ ଭିତରେ ତୁମ୍ଭେ ୨୫ ଥର ମୁଁ ଶବ୍ଦ ବ୍ୟବହାର କରିଥିବ, ମାତ୍ର ଅହଂ ପଦ ଥରକ ନିମେନ୍ତ ସୁଦ୍ଧା ତୁମ୍ଭ ମନରେ ଉଦିତ ହୋଇନଥିବ। ପ୍ରକୃତିର ଅପ୍ରତିହତ ପ୍ରଭାବ ।

 

କୌଣସି ପରମାର୍ଥୀ ଯେବେ ତଦ୍‌ଗତ ମନରେ ଭାଗବତର ବ୍ୟାଖ୍ୟା କରୁଥାଏ, ବାଖ୍ୟା କରୁଁ କରୁଁ ଅଶୁଦ୍ଧ ପଦ ଉଚ୍ଚାରଣ କରେ, ସେହି ପଦ ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ନଥାଏ । ଆମ୍ଭେ ଜାଣୁ ଯେ ସେ ଆପଣା ବିଦ୍ୟା ଦେଖାଉ ନାହାନ୍ତି, ଆମ୍ଭେ ଜାଣୁ ଯେ ଏକାଗ୍ର ଭକ୍ତି ବିନୁ ତାହାଙ୍କ ମନରେ ଆନ ଭାବର ସଞ୍ଚାର ହେଉନାହିଁ, ଏଥିପାଇଁ ସେ ଯାହା କହନ୍ତୁ ସେଥିର ବ୍ୟାକରଣ ଦୋଷ, ଅଳଙ୍କାର ଦୋଷ ପ୍ରତି ଦୃଷ୍ଟି ନରଖି କେବଳ କଥାମାନଙ୍କ ତତ୍ତ୍ୱରେ ମନୋ ନିବେଶ କରୁଁ । ମାତ୍ର ବିଦ୍ୟାଭିମାନୀ ତରୁଣ ପୁରୁଷ ସଭାରେ ହାତ ଗୋଡ଼ କଚାଡ଼ି ଯେତେବେଳେ ବକ୍ତୃତା କରନ୍ତି, ବକ୍ତୃତା କରୁଁ କରୁଁ ଯେବେ ଗୋଟିଏ ଅଶୁଦ୍ଧ ପଦ ବୋଲନ୍ତି, ଆମ୍ଭେମାନେ ହସ ସମ୍ଭାଳି ପାରୁ ନାହିଁ । ହେତୁ କି, ଆମ୍ଭେମାନେ ଜାଣିଥାଉଁ ଯେ ଆପଣା ବିଦ୍ୟାର ଆଡ଼ମ୍ଭର କରିବାର ବକ୍ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଅଟେ । ଆମ୍ଭେ ଜାଣିଥାଉଁ ଯେ ବକ୍ତା ବଡ଼ ସୁଭଗମ୍ମନ୍ୟ ଅଟନ୍ତି । ବାଲ୍ମୀକି ଆପଣାକୁ ‘ମୁନିସତ୍ତମ’ ବୋଇଲେ ଆମ୍ଭେମାନେ ବିରକ୍ତ ହେବୁଁ ନାହିଁ । ମାତ୍ର ମାଘ ଆପଣାକୁ ‘କବି କୀର୍ତ୍ତି ଦୁରାଶାଗ୍ରସ୍ତ’ ବୋଇଲେ ଆମ୍ଭେମାନେ ସେହି ବିନୟକୁ ନିର୍ମଳ ବିନୟ ମଣିବୁଁ ନାହିଁ ।

 

କେହି କେହି ଲୋକର ସୁଭଗମ୍ମନ୍ୟତା ହସ୍ତାକ୍ଷରରୁ ସ୍ପୁଟରୂପେ ଜଣାପଡ଼େ । ଅନେକ ଲୋକର ହସ୍ତାକ୍ଷର, ବିଶେଷତଃ ସ୍ୱାକ୍ଷର ଏପରି ବ୍ୟାଜରେ ଲେଖା ହୋଇଥାଏ ଯେ ତୁମ୍ଭେ ଲେଖା ଦେଖିଲାକ୍ଷଣି ଜାଣିବ ଯେ ଲେଖକ ଲେଖିଲାବେଳେ ଭାଳିଥିଲେ, ‘‘ସମସ୍ତ ମୋ ଦସ୍ତଖତ୍‌ ଦେଖି ଚମକିଯିବେ ।’’ କେହି କେହି ଲୋକ ନିତାନ୍ତ କାର୍ଯ୍ୟରେ ବ୍ୟସ୍ତ ଥାନ୍ତି, ସେମାନଙ୍କୁ ଅନେକ ସ୍ୱାକ୍ଷର କରିବାକୁ ହୁଏ, ତେଣୁ ସଂକ୍ଷିପ୍ତରୂପରେ ଚଞ୍ଚଳ ସ୍ୱାକ୍ଷର କରନ୍ତି, ଆମ୍ଭେମାନେ ସେମାନଙ୍କୁ କହୁନାହୁଁ-। ସେମାନେ ନିର୍ଦୋଷ। ଯେଉଁମାନେ ପ୍ରୟୋଜନ ବିରହରେ ଜାଣି ଶୁଣି ଏପରି ସ୍ୱାକ୍ଷର କରନ୍ତି ଯେ ତୁମ୍ଭେ ଲେଖକକୁ ଯେବେ ଜାଣିନଥାନ୍ତ, ତେବେ ସେହି ସ୍ୱାକ୍ଷର ପଢ଼ି ପାରନ୍ତ ନାହିଁ । ଯେଉଁମାନେ ସ୍ୱାକ୍ଷର ପ୍ରାଧାନ୍ୟର ପରିଚାୟକ ଜାଣି ପ୍ରକୃତ ମାର୍ଗ ଛାଡ଼ି ଅପ୍ରାକୃତିକ ରୂପରେ ଲେଖନ୍ତି, ଆମ୍ଭେ ସେହି ସୁଭଗମ୍ମନ୍ୟ ମହାତ୍ମାମାନଙ୍କୁ ଲକ୍ଷ୍ୟ କରୁଅଛୁଁ । ଦୁଃଖର କଥା ଏହି କି ଅନେକ ବଡ଼ଲୋକେ ଏହି ଲଘିମାର ଦାସ ଅଟନ୍ତି । କେହି କେହି ଜାଣି ଅକ୍ଷର ମନ୍ଦ ଲେଖନ୍ତି, କେହି କେହି ଅକ୍ଷରଗୁଡ଼ିକୁ ଫଳ ଫୁଲରେ ଶୋଭିତ କରନ୍ତି । ଲେଖିଲାବେଳେ ଧାଡ଼ିକୁ ତେର୍ଚ୍ଛାରୂପରେ ଦଶଥର ଅନାନ୍ତି । ଖଣ୍ଡିଏ ତମସୁକ ଲେଖା ହେଲା । ଉତ୍ତାରେ ସେଥିରେ ସାକ୍ଷୀମାନଙ୍କ ନାଁ ଯେତେବେଳେ ପଡ଼େ, ପାଠକେ ! ମନୋଯୋଗ କରି ଦେଖିଛଟିକି ? ଯେ ବିଚରା ଭଲ ଲେଖି ନ ଜାଣେ, ତା ହାତ କମ୍ପୁଥାଏ, କେତେ ଡରି ଡରି ଲେଖେ, ଏଥିରେ ଅପ୍ରାକୃତିକ ଅଥବା ଗର୍ହଣୀୟ କିଛି ନାହିଁ । ଏମନ୍ତ ଲୋକକୁ ଉତ୍ସାହ ଦେବାପାଇଁ ପ୍ରବୃତ୍ତି ହୁଏ । ମାତ୍ର ଦୁଇ ଚାରି ଅପଟୁ ଲୋକେ ଉତ୍ତାରୁ ଜଣେ ପଣ୍ଡିତମ୍ମନ୍ୟ ମହାତ୍ମା କାଗଜ ହାତକୁ ନେଇ ସବ୍ୟାଜ ଅବହେଳାରେ ଚର୍‌ଚର କରି ଦସ୍ତଖତ୍ କରନ୍ତି, ଆଖି କେତେ ଭଙ୍ଗୀ କରୁଥାଏ । ତୁମ୍ଭେ ଦେଖିଲାକ୍ଷଣି ଜାଣିବ ଯେ ସେ ଆପଣାକୁ ଅସାଧ୍ୟ ସାଧକ ମଣୁଅଛନ୍ତି, ଅପଟୁ ସଙ୍ଗୀମାନଙ୍କଠାରୁ ଶ୍ଳାଘା ପ୍ରତ୍ୟାଶା କରୁଅଛନ୍ତି ଏବଂ ‘‘ଆମ୍ଭକୁ ଏ କ’ଣ ଦେଖାଇବ, ଆମ୍ଭେ କ’ଣ ଲେଖି ଜାଣୁ ନାହିଁ-?’’ ଗାଁକୁ ଯାଉଁ ଯାଉଁ ବାଟରେ ସଙ୍ଗୀମାନଙ୍କୁ ଏହି କଥା କହିବେ । ଥରେ ଜଣେ ଏହିପରି ବ୍ୟାଜରେ ଚରଚର୍ କରି ଲେଖୁ ଲେଖୁ କଲମ ଫୁଟି କାଗଜ ଅନେକଗୁଡ଼ାଏ ଚିରିଗଲା । ଆମ୍ଭକୁ ହସମାଡ଼ିଲା । ଗର୍ବ ଖର୍ବ ଦେଖିଲେ ସମସ୍ତେ ଆହ୍ଳାଦିତ ହୁଅନ୍ତି-

 

ଲୋକର ସୁଭଗମ୍ମନ୍ୟତା ଅନେକ କଥାରୁ ଜଣାପଡ଼େ, ସେ କଥାମାନ କଳିହେବ ନାହିଁ-। କୌଣସି ଲୋକର ସୁଭଗମ୍ମନ୍ୟତା ପରୀକ୍ଷା କରିବା ନିମନ୍ତେ ତୁମ୍ଭର ଯେବେ ସ୍ପୃହା ଥିବ, ଥରେ ତାହାକୁ ଶ୍ୱଶୁରଘରେ ଦେଖିବ। ସବୁ ଜୁଆଇଁ ସମାନ ନୁହନ୍ତି । ମାତ୍ର କୌଣସି କୌଣସି ଜୁଆଇଁଙ୍କ ଚାଲି ଦେଖିଲେ, କଥାବାର୍ତ୍ତା ଶୁଣିଲେ ହସ ସମ୍ଭାଳି ହୁଏ ନାହିଁ । ବିଶ୍ୱାସ କରିବ ତ କହିବି-। ଆମ୍ଭ ଗ୍ରାମକୁ ଗୋଟିଏ ଜୁଆଇଁ ଆସିଥିଲେ । ଭୋଜନବେଳେ ସେ ସମ୍ମୁଖରେ ଗୋଟିଏ ଆଇନା ଥୋଇ ଭୋଜନ କରୁଥିଲେ । ତାହାଙ୍କର ଜଣେ ବିଶ୍ରବ୍‌ଧ ବନ୍ଧୁ ତାହାଙ୍କୁ ସେଥିର ହେତୁ ପଚାରନ୍ତେ ବୋଇଲେ, ‘‘ଭୋଜନ କଲାବେଳେ ମୁହଁ ବିକୃତ ଦିଶେ, କାଳେ ଅତ୍ୟନ୍ତ ବିକୃତ ଦିଶିବ, ଲୋକେ ହସିବେ, ଏଥିପାଇଁ ଦର୍ପଣ ଥୋଇଛି ଯେ ଆଗୁଁ ସାବଧାନ ହେବି ।’’ କୌଣସି ଲୋକର ଲଘୁମନସ୍କତା ପରୀକ୍ଷା ନିମନ୍ତେ ତାହା ଶ୍ୱଶୁରଘରଠାରୁ ଉପଯୋଗୀ ସ୍ଥାନ ଆଉ ନାହିଁ । ତୁମ୍ଭ ଗ୍ରାମର କୌଣସି ଜୁଆଇଁ ଘରକୁ ଆସିଛନ୍ତି । ତୁମ୍ଭେ ତାଙ୍କ ପାଖରେ ବସି କଥାବାର୍ତ୍ତା କରୁଅଛ, ହଠାତ୍ ଜୁଆଇଁଙ୍କ ଆଖିଡୋଳା ବୁଲିଲା । ତୁମ୍ଭ ସଙ୍ଗରେ ସାଧାରଣ ଲୋକ ପରି କଥା କହୁଥିଲେ, ହଠାତ୍ ସ୍ୱର ବଦଳିଗଲା, ଅପ୍ରୟୋଜନୀୟ କେତେଗୁଡ଼ିଏ ରସିକତାସୂଚକ ଶବ୍ଦ ପ୍ରୟୋଗ କଲେ । ତୁମ୍ଭର ମନ ବିଷୟାନ୍ତରେ ନିବିଷ୍ଟ ଥିଲା, ହଠାତ୍ ତାଙ୍କର ଭଙ୍ଗୀ ପରିବର୍ତ୍ତନ ଦେଖି ତୁମ୍ଭେ ବିସ୍ମୟାବିଷ୍ଟ ହୋଇ ‘‘କ’ଣ ହେଲା ପରା’’ ବୋଲି ଚାରିଆଡ଼େ ନେତ୍ରପାତ କଲ। ହେବ ଆଉ କ’ଣ-? ଶାଶୁ ଜଳାକବାଟୀରୁ ଜୁଆଇଁଙ୍କୁ ଥରେ ଦେଖିଅଛନ୍ତି; ଜୁଆଇଁ ଏହିତା ଜାଣି ଏଡ଼େ ସଙ୍କୁଚିତ, ସବ୍ୟାଜ ଚକିତ ହେଉଅଛନ୍ତି, ଅନର୍ଥକ ରସିକତାସୂଚକ ଶବ୍ଦଗୁଡ଼ିଏ ଉଚ୍ଚାରୁଅଛନ୍ତି । ଶାଶୁ ଯେ ଜୁଆଇଁଙ୍କୁ ଦେଖିବା ନିମନ୍ତେ ଜଳାକବାଟୀ ପାଖକୁ ଆସିଥିଲେ, ତାହା ନୁହେଁ; କାର୍ଯ୍ୟାବଶରୁ ଆସିଥିଲେ, ହଠାତ୍ ଜୁଆଇଁଙ୍କ ଉପରେ ଆଖି ପଡ଼ିଗଲା; ମାତ୍ର ଜୁଆଇଁ ପାଞ୍ଚିଲେ, ଶାଶୁ ସ୍ଥିରଦୃଷ୍ଟିରେ ଆଗ୍ରହପୂର୍ବକ ତାଙ୍କର ଅଲୋକସାମାନ୍ୟ ଲାବଣ୍ୟ କଳୁଅଛନ୍ତି । ଛାର ମନୁଷ୍ୟପ୍ରକୃତିର ଲଘିବା କହିଲେ ସରିବ ନାହିଁ ।

 

କେତେଗୁଡ଼ିଏ ସୁଭଗମ୍ମନ୍ୟ ଲୋକ ଅଛନ୍ତି, କୌଣସି କଥା କହିଅଛନ୍ତି ଅବା କରିଅଛନ୍ତି ବୋଲି ଅନର୍ଥକ ତୁମ୍ଭଠାରେ କ୍ଷମା ମାଗିବେ । ସେ ଯାହା କରିଛନ୍ତି, ଯାହା କହିଛନ୍ତି, ତାହା ଏମନ୍ତ କିଛି ଦୋଷାବହ ନୁହେ । ହୁଏତ ତୁମ୍ଭର ସେ କଥା ମନରେ ନାହିଁ, ମାତ୍ର ସେମାନେ ଏଡ଼େ କୃତ୍ରିମ କାତରତା ସହିତ କ୍ଷମା ମାଗିବେ ଯେ ଶୁଣିଲାକ୍ଷଣି ଆଉ ଲୋକେ ତାଙ୍କୁ କୌଣସି ଗୁରୁତର ଅପରାଧୀ ଗଣିବେ । ପାଠ ! ଏହି ପଂକ୍ତିଗୁଡ଼ିକ ପଢ଼ୁ ପଢ଼ୁ ‘‘ବୃଷଭ ଓ ମଶକ’’ର ଗଳ୍ପ ତୁମ୍ଭ ମନରେ ପଡ଼ୁଥିବ । ବାସ୍ତବରେ ଯେ ଅନେକ ଥର ଅନର୍ଥକ କ୍ଷମା ମାଗେ, ସେ ଆପଣାକୁ ‘‘ଜଣେ’’ କରି ଜାଣେ, ଏହା ନିଷ୍ଠା ଜାଣିଥିବ ।

 

ସ୍ତ୍ରୀମାନେ ବଡ଼ ସୁଭଗମ୍ମନ୍ୟ । ସବୁ ସ୍ତ୍ରୀ ସମାନ, ଆମ୍ଭେ ଏହା କହୁ ନାହୁଁ। ପନ୍ଦରପଣି ସୁଭଗମ୍ମନ୍ୟ । ଅନେକ ଥର ତୁମ୍ଭଘରେ ଭୋଜନ ନିମନ୍ତେ କୁଟୁମ୍ବିନୀମାନେ ଆହୂତ ହୋଇଥିବେ । ଭଲ ପତଳା ଶାଢ଼ୀ ପିନ୍ଧି ସଙ୍କୁଚିତ ହୋଇ ତୁମ୍ଭ ଘରକୁ ଆସୁଛନ୍ତି, ଏପରି କେତେ ତରୁଣୀ ଦେଖିଥିବ । ଆଧୋବଦନ, ସତେ ଯେମନ୍ତ କିଛି ଜାଣନ୍ତି ନାହିଁ, ଏହିପରି ଚାହାଣି ତଳେ ‘‘ଥରେ ମୋତେ ଦେଖ ଭଲା’’ ଏହି ଆନ୍ତରିକ ଇଚ୍ଛା ପରିସ୍ଫୁଟରୂପରେ ବ୍ୟକ୍ତହେଉଥାଏ ।

 

ଗାୟକମାନେ ବଡ଼ ସୁଭଗମ୍ମନ୍ୟ । ସବୁ ଗାୟକ ସମାନ, ଏହା କହୁ ନାହୁଁ ଅଧିକାଂଶ ସୁଭଗମ୍ମନ୍ୟ । କୌଣସି ସଭାରୁ କୌଣସି ଗାୟକ ନେଉଟି ଆସିଲା ଉତ୍ତାରୁ ତାଙ୍କୁ ପଚାରିବଟି ‘‘ଗାଉଥିଲେ, ସେହିପରି ଆଉ କ’ଣ ? ମୁଁ ତାନପୁରା ନେଲି, ହଜାର ହଜାର ଲୋକ ବସିଥିଲେ, ସମସ୍ତେ ଚୁପ୍‌, ଆଉ ପାଟି ଫିଟିଲା ନାହିଁ ।’’

 

ଅନେକ ଲୋକ ଅଛନ୍ତି, ସେମାନଙ୍କର ସୁଭଗମ୍ମନ୍ୟତା ସେମାନଙ୍କର ଧର୍ମବିଷୟକ ବିତଣ୍ଡାରୁ ଜଣାପଡ଼େ । ଏପରି ତାର୍କିକ ଏ କାଳକୁ ଅନେକ ହୋଇଅଛନ୍ତି । ଏମାନେ ନାସ୍ତିକତାକୁ ବିଜ୍ଞତାର ପରିମାପକ ଜାଣନ୍ତି । ଦିନେ ଆମ୍ଭେମାନେ ବ୍ରାହ୍ମସମାଜକୁ ଯାଇଥିଲୁଁ; କେତେଗୁଡ଼ିଏ ପ୍ରକୃତ ଭକ୍ତିମାନ୍ ଯୁବକ ପ୍ରଭୁଙ୍କୁ ସ୍ତୁତି କରୁଥିଲେ । ସେମାନଙ୍କର ଆନ୍ତରିକ ଭକ୍ତି ଦେଖି ଆମ୍ଭମାନଙ୍କ ମନ ଦ୍ରବୀଭୂତ ହେଲା । ମାତ୍ର ସେଠାରେ ସୁଦ୍ଧା ବିରକ୍ତି ଉପୁଜିଲା । ବିରକ୍ତିର ହେତୁ ଏତିକି ସମାଜକୁ ଜଣେ ପାଣ୍ଡିତ୍ୟାଭିମାନୀ ଗଧ ଆସିଥିଲେ । ଉପାସନା ନିମନ୍ତେ ଆସିନଥିଲେ । ଏଡ଼େ ପଣ୍ଡିତ ହୋଇ ଯେବେ ସେହି ‘‘ମରହଟ୍ଟୀ ଈଶ୍ୱରବିଶ୍ୱାସ’’ ନ ଗଲା, ତେବେ ପାଣ୍ଡିତ୍ୟର ଫଳ କ’ଣ ? ବ୍ରାହ୍ମମାନଙ୍କର ଇତରତା ଦେଖି ଆପଣା ସୁଭଗମ୍ମନ୍ୟତା ଚରିତାର୍ଥ କରିବାପାଇଁ ସେ ଆସିଥିଲେ । ବ୍ରାହ୍ମମାନେ ଯେତେବେଳେ ନେତ୍ର ନିମୀଳିତ କରି ସ୍ତୁତି ବୋଲୁଥିଲେ, ସେ କେତେ ପ୍ରକାର ଭଙ୍ଗିକଲେ, କେତେ ଥର ମର୍କଟ ପ୍ରାୟ ହସିଲେ, ‘‘ସମସ୍ତେ ଦେଖନ୍ତୁ, ମୁଁ ଏମାନଙ୍କ ପରି ନିର୍ବୋଧ ନୁହେ,’’ ଏହିତା ଜଣାଇବାପାଇଁ କେତେ ଥର ‘‘ଆହା ହା !’’ ବୋଇଲେ। ବ୍ରାହ୍ମମନ୍ଦିରରେ ଯେଉଁ ଗୀତ ବୋଲନ୍ତି, ସେ ଗୀତର ମାଧୁରୀ ଆନ ଗୀତରେ ନାହିଁ । ମାତ୍ର ସେହି ଗଧକୁ ତଡ଼ିଦେବା ଇଚ୍ଛା ନିତାନ୍ତ ବଳବତୀ ହେବା ଯୋଗୁଁ ଆମ୍ଭେ ସେହି ସ୍ୱର୍ଗୀୟ ମାଧୁରୀ ଅନୁଭବ କରିନପାରିଲୁ । ଗଧ ପାଞ୍ଚିଲେ, ସମସ୍ତେ ତାଙ୍କୁ ଅନାଇ ରହିଅଛନ୍ତି ସମସ୍ତେ ତାଙ୍କୁ ଡରନ୍ତି । ଆମ୍ଭେ ନିଶ୍ଚେ ଜାଣିଲୁଁ, ସଭା ଭାଙ୍ଗିଲା ଉତ୍ତାରୁ ଗଧ ଯାଇ ସମସ୍ତଙ୍କଠାରେ ଆପଣା ଗୌରବ କରିବେ । ‘‘ଧର୍ମ ଧର୍ମ ରାତିଦିନ କରନ୍ତି, ମୋତେ ଦେଖି କାହାରି ତୁଣ୍ଡ ଫିଟିଲା ନାହିଁ,’’ ସମସ୍ତଙ୍କଠାରେ ଏହି ବଡ଼ାଇ କରିବେ ।

 

ଯେଉଁମାନେ ସବୁବେଳେ ଆପଣା ପତ୍ନୀର କଥା କହନ୍ତି, ପତ୍ନୀର ପ୍ରଶଂସା କରନ୍ତି, ସେମାନେ ବଡ଼ ସୁଭଗମ୍ମନ୍ୟ । ଏହି ସୁଭଗମ୍ମନ୍ୟତା ଆନ୍ତରିକ ହେଲେ ସେଥିରୁ ଅନିଷ୍ଟ ନ ହୋଇ ବରଂ ଶୁଭ ଫଳର ସମ୍ଭାବନା । ମାତ୍ର କେତେଗୁଡ଼ିଏ ଲୋକ ଅଛନ୍ତି, ବନ୍ଧୁମାନଙ୍କଠାରେ ଆପଣା ପତ୍ନୀର ସବୁବେଳେ ପ୍ରଶଂସା କରନ୍ତି, ତେଣେ ପୁଣି ପରଦାରାଭିଗମନ ସେମାନଙ୍କର ନିତ୍ୟବ୍ରତ ।

 

ସୁଭଗମ୍ମନ୍ୟ ଲୋକ ଆପଣା ସ୍ତ୍ରୀର ଅନର୍ଥକ ଅପ୍ରାସଙ୍ଗିକ ଶ୍ଳାଘା କରନ୍ତି । ହୃଦୟଜ୍ଞ କାଳିଦାସ ଏହା ଭଲରୂପେ ଜାଣିଥିଲେ, ତେଣୁ ଯକ୍ଷ ତୁଣ୍ଡରେ ‘‘ବାଚାଳଂ ମାଂ ନ ଖଳୁ ସୁଭଗମ୍ମନ୍ୟଭାବଃ କରୋତି’’- ଏହି ଉକ୍ତି ଦେଇଅଛନ୍ତି ।

 

ଜଣେ ସୁଭଗମ୍ମନ୍ୟ ମହାତ୍ମା ଆମ୍ଭ ସଙ୍ଗେ କଥୋପକଥନ କରୁଥିଲେ, ସେଠାରେ ଆମ୍ଭର ଆଉ ଜଣେ ବନ୍ଧୁ ବସିଥିଲେ । କଥାପ୍ରସଙ୍ଗରୁ ସହୃଦୟବର ଆରଭିଂ ସାହେବଙ୍କର ରଚନାଚାତୁରୀର ଆମ୍ଭେ ପ୍ରଶଂସା କଲୁଁ । ଶଂସିତମହାତ୍ମା ବୋଇଲେ, ‘‘ଆରଭିଂ The Wife ନାମକ ଯେଉଁ ପ୍ରବନ୍ଧ ଲେଖିଅଛନ୍ତି, ତାହା ଅତି ମନୋହର ।’’ ଆମ୍ଭେ କହିଲୁଁ, ‘‘ହଁ ସେଇଟି ମନୋହର ପ୍ରସଙ୍ଗ ଅଟେ ।’’ ଆମ୍ଭର ବନ୍ଧୁ ଆରଭିଂ ପଢ଼ିନଥିଲେ । ସେ କିଛି ନ କହି ତୁନି ହୋଇ ରହିଲେ । ଶଂସିତ ମହାତ୍ମା ପୁଣି କହିଲେ, ‘‘ମୋ ସ୍ତ୍ରୀକୁ ମୁଁ ସେହି ପ୍ରବନ୍ଧ ଅନୁବାଦ କରିବାକୁ କହିଲି-। ସେ କ’ଣ ତା ପାରିବ ? ତା’ର ଅଧେ ଭାବ ଆସିଲା ନାହିଁ ।’’ ଆମ୍ଭେ ନିଷ୍ଠା ଜାଣୁ, ଇଂରାଜୀ ତେଣିକି ଥାଉ, ତାଙ୍କର ସ୍ତ୍ରୀ ଦେଶଭାଷାରେ ମଧ୍ୟ ଅତି ଅଳ୍ପ ଶିକ୍ଷିତା । ମହାତ୍ମା ଆପଣା ସ୍ତ୍ରୀକୁ ନିନ୍ଦା କଲେ, ମାତ୍ର ପ୍ରକାରାନ୍ତରେ ସ୍ୱର୍ଗକୁ ଟେକିଦେଲେ, ଏହା ଆମ୍ଭର ଭଲ ଉପଲବ୍ଧି ହେଲା-। କେହି କେହି ସୁଭଗମ୍ମନ୍ୟ ମହାତ୍ମା ଆପଣା ପତ୍ନୀ କର୍ତ୍ତୃକ ବୁଣା ଜୁତା ଅବା ଟୁପି ସବୁବେଳେ ପିନ୍ଧିଥାନ୍ତି । ସେମାନଙ୍କର ଆନ୍ତରିକ ଉଦ୍ଦେଶ୍ୟ ଏହି ଯେ, ଏମନ୍ତ କଲେ ଆପଣା ପତ୍ନୀର ଗୁଣ ଗୌରବ କରିବା ନିମନ୍ତେ ଅନେକ ସୁଯୋଗ ଲଭିବେ । ଆମ୍ଭେ ଯାହା କହିଲୁଁ, ତାହାକୁ ବ୍ୟାପ୍ତି କରି ଘେନିବ ନାହିଁ । ନିକୁଚ୍ଛାରେ ୧୦୦ ରେ ୮୦ ଏହିପରି ।

 

ଅନେକ ଲୋକ ଠା’ କରେ ବସି କଥାବାର୍ତ୍ତା କରୁଅଛନ୍ତି, ଆଉ ଜଣେ ସେଠାରେ ବସି ସେମାନଙ୍କ ଆଡ଼କୁ ଅନାଇ ରହିଅଛନ୍ତି, ମୁଚକି ମୁଚକି ହସୁଛନ୍ତି । ଏପରି ମୂର୍ତ୍ତି ପାଠକେ ଦେଖିଛ ତ-? ଆମ୍ଭେ ଭଲ ବୋଲି ପାରୁ ନାହୁଁ । ମାତ୍ର ତୁମ୍ଭେ ଆମ୍ଭର ଅର୍ଥ ବୁଝିଅଛ । ସେହି ମୁଚକି ହାସ୍ୟକାରୀ ବଡ଼ ବିଜ୍ଞମ୍ମନ୍ୟ । ସେ ଆପଣାକୁ ଅସାଧାରଣ କରି ଜାଣନ୍ତି, ସାଧାରଣ ଲୋକର କଥାବାର୍ତ୍ତା ତାହାଙ୍କର ପ୍ରଜ୍ଞାକୁ ତୁଚ୍ଛ ଦିଶେ, ତେଣୁ ସେ ଇତର ଲୋକମାନଙ୍କର କଥାବାର୍ତ୍ତାରେ ଭାଗୀ ହୁଅନ୍ତି ନାହିଁ । ପାଠକେ ! ଏପରି ଗଧ ଥୋକାଏ ଦେଖିଥିବେ ।

 

ଧନବାନ୍ ମୂର୍ଖମାନଙ୍କ ମଧ୍ୟରୁ ଅଧିକାଂଶ ସୁଭଗମ୍ମନ୍ୟ । କୌଣସି ବିଦ୍ୱାନ୍‌ଲୋକର ପ୍ରତିଷ୍ଠା ଶୁଣିଲାକ୍ଷଣି ଈର୍ଷା ଓ ସୁଭଗମ୍ମନ୍ୟତା ଯୁଗପତ୍ ଏମାନଙ୍କ ହୃଦୟକୁ ଆଶ୍ରୟ କରେ। କହନ୍ତି, ‘‘ସିମିତ ବିଦ୍ୟାରୁ ଲଭ୍ୟ କ’ଣ ? ଏମାନେ ପାଠରେ ଯାହା କରିବେ, ମୁଁ ସାଠରେ ତାହା କରିବି । ପାଠ ସାଠ ଦିଇଟା ଅଛି କି ନାହିଁ ?’’ କେତେଗୁଡ଼ିଏ ଲୋକ ଅଛନ୍ତି ଯେ ସେମାନଙ୍କୁ ନ ପଚାରୁଣୁ ସବୁ କଥାରେ ଆପଣା ମତ ଦେବେ। ଯେ ବିଷୟମାନଙ୍କରେ ସେମାନେ ନିପଟ ଅଜ୍ଞ, ଏପରି ବିଷୟରେ ସୁଦ୍ଧା ସେମାନେ ସବୁବେଳେ ଉପଦେଶ ଦେବା ପାଇଁ ପ୍ରସ୍ତୁତ ଅଟନ୍ତି । ଉପଦେଶ ଅବା ମତ ଦେବାପାଇଁ କେଡ଼େ ଯୋଗ୍ୟତାର, ପ୍ରୟୋଜନ, ସେମାନେ ଭ୍ରମରେ ଏହା ପାଞ୍ଚନ୍ତି ନାହିଁ । ଏହିପରି ଅଯୋଗ୍ୟ ଉପଦେଷ୍ଟାମାନଙ୍କ ପ୍ରସାଦରୁ କେତେ ସୁଖୋଚିତ ନିରୀହ ଲୋକ ଅପ୍ରତିବିଧେୟ ଦୁଃଖରେ ପଡ଼ିଅଛନ୍ତି । ଶାରୀର ବିଦ୍ୟାର ଅଣୁମାତ୍ର ଜାଣନ୍ତି ନାହିଁ, ଏପରି କେତେ ଲୋକ ଆମ୍ଭକୁ କହିଅଛନ୍ତି ଯେ ୩୫ ବର୍ଷ ପୂର୍ବରେ ବିବାହ କରିବାର ଉଚିତ ନୁହେ । କୌଣସି ସ୍ତ୍ରୀ ଯେ ବିଷୟରେ ସେ ସମ୍ପୂର୍ଣ୍ଣ ଅନଭିଜ୍ଞ, ଏମନ୍ତ କୌଣସି ବିଷୟରେ ଏକ ପଣ୍ଡିତଙ୍କ ଠାରେ ଆପଣା ମତ ବ୍ୟକ୍ତ କଲେ । ପଣ୍ଡିତ ସହିନପାରି କହିଲେ, ‘‘ଭଦ୍ରେ ! ମତ କହିବା ଆଗରୁ ତୁମ୍ଭର ମତର ଓଜନ କେତେ, ଏହା ଭାଳିବାର ବିହିତ ।’’ ଏ ବଡ଼ ତୀକ୍ଷ୍ମ ଉତ୍ତର ଅଟେ । ମାତ୍ର ମତଦେବା ବ୍ୟକ୍ତିମାନେ ସୁଭଗମ୍ମନ୍ୟତାର କବଚ ପିନ୍ଧିଥାନ୍ତି । ସେମାନେ ଏହା ନିଷ୍ଠା ଜାଣନ୍ତି, ସେମାନଙ୍କ ମତ ଅଭ୍ରାନ୍ତ ।

 

ଆତ୍ମଲାଘବ ଶିଖିବାକୁ ଅନେକ ଦିନ ଲାଗେ । ଏତେବେଳଯାଏ ଏହି ବିଷୟରେ ଆଲୋଚନା କଲୁଁ । ଏହିପରି ଆଉ କେତେଗୁଡ଼ିଏ କଥା ଅଛି, ସେଗୁଡ଼ିକ ସଂକ୍ଷେପରେ କହିବୁଁ ।

 

କେହି ତୁମ୍ଭକୁ ଅଜ୍ଞ ଅଥବା ଅଯୋଗ୍ୟ ମଣନ୍ତି ବୋଲି ତାଙ୍କ ଉପରେ କୁପିତ ହେବାର ବିହିତ ନୁହେ । ଏହି ଉକ୍ତିର ଯଥାର୍ଥ୍ୟ ଅନେକ ଲୋକେ ସ୍ୱୀକାର କରିବେ ନାହିଁ ।

 

ବସ୍ତୁତଃ ଯେମାନଙ୍କର ଭୂୟୋଦର୍ଶିତା ଓ ବିବେକ ସମ୍ୟକ୍ ପୁଷ୍ଟ ହୋଇ ନାହିଁ, ସେମାନେ ଏହାର ମର୍ମ କାହୁଁ ଜାଣିବେ ? ଅନେକ ଲୋକ ଅଛନ୍ତି, ସେମାନଙ୍କଠାରେ ଯେବେ କେହି ଆସି କହେ ଯେ, ‘‘ଅମୁକେଇ ଲୋକ କହୁଥିଲେ, ତୁମ୍ଭେ ଅଙ୍କ ବିଦ୍ୟା ଜାଣ ନାହିଁ,’’ ସେମାନେ ଶୁଣିଲାକ୍ଷଣି ଜଳିଯିବେ । ଭିକାରୀବାବୁ ଜଣେ ଗାୟକ । ତାଙ୍କୁ ଜଣେ ଆସି କହିଲେ, ‘‘ଦିନୁବାବୁ କହୁଥିଲେ, ତୁମ୍ଭ ଗଳା ଭଲ ନୁହେ ।’’ ଭିକାରୀବାବୁଙ୍କ ଆଖି ରକ୍ତବର୍ଣ୍ଣ ହେଲା । ଗଦାଧର ମିଶ୍ର ଜଣେ ପଣ୍ଡିତ । ତାଙ୍କୁ ଜଣେ ଆସି କହିଲେ, ‘‘ଲୋକନାଥ କହୁଥିଲେ, ସଂସ୍କୃତରେ ତୁମ୍ଭର କୋମଳ ବ୍ୟୁତ୍ପତ୍ତି ।’’ ଗଦାଧରଙ୍କ ମନ କ୍ରୋଧରେ ଅସ୍ଥିର ହେଲା । ଆମ୍ଭେ ଖଣ୍ଡିଏ ପୋଥି ରଚିଥିଲୁଁ । ସେଥିରେ ପର୍ବତ, ଗୋଲାପ ଫୁଲ ପ୍ରଭୃତି ବିଷୟରେ କବିତା ଥିଲା । ଜଣେ ଆସି ଆମ୍ଭଙ୍କୁ କହିଲେ, ‘‘କାଳୀବାବୁ କହୁଥିଲେ, ‘‘କାଳୀବାବୁ କହୁଥିଲେ, ତୁମ୍ଭେ ଯେବେ ଲେଖି ନ ଜାଣ, କାହିଁକି ଏଡ଼େ ଆସ୍ପର୍ଦ୍ଧା କର ? ପର୍ବତ ଗୋଲାପ ଫୁଲ ଏ କିପରି କବିତା ?’’ ଆମ୍ଭେ ପ୍ରଥମେ କୁପିତ ହୋଇଥିଲୁଁ, ପଛକୁ ବିଚାରିଲୁ, ‘‘କାଳୀବାବୁଙ୍କ ବୁଦ୍ଧିକି ଯେପରି ଦିଶିଲା ସେ ସେହିପରି କହିଲେ । ସେ କିଛି ଆମ୍ଭର ଶତ୍ରୁ ନୁହନ୍ତି, ସେ ଯାହା କହିଅଛନ୍ତି ସରଳ ମନରେ କହିଛନ୍ତି ସେଥିପାଇଁ କ୍ରୁଦ୍ଧ ହେବାର ଗର୍ହିତ ଅଟେ ।’’ ହଁ, କାଳୀବାବୁ ଯେବେ ଈର୍ଷାଯୁକ୍ତ ହୋଇ ସେପରି କହିଥାନ୍ତେ, ତେବେ ଆମ୍ଭର କ୍ରୋଧ ନାଯ୍ୟା ହୁଅନ୍ତା । କେହି କେହି ଗ୍ରନ୍ଥକାର ଆପଣା ଗ୍ରନ୍ଥର ପତିକୂଳ ସମାଲୋଚନା ପଢ଼ିଲାକ୍ଷଣି ଅସ୍ଥିର ହୁଅନ୍ତି । ମାତ୍ର ଅସ୍ଥିର ହେବାର ଉଚିତ ନୁହେ । ସମସ୍ତଙ୍କ ରୁଚି ଏକା ଛାଞ୍ଚରେ ଢଳା ହୋଇନାହିଁ ।

 

ଯେମାନେ ତୁମ୍ଭକୁ ତୁଚ୍ଛ ମଣନ୍ତି, ଏମନ୍ତ ଲୋକ ସହିତ ସବୁବେଳେ ସହବାସ କରିବା ନିମନ୍ତେ ଆମ୍ଭେ କହୁ ନାହୁଁ । ଏପରି ଲୋକ ସହିତ ସବୁବେଳେ ସହବାସ କଲେ ତୁମ୍ଭର ଅତ୍ୟନ୍ତ ଅନିଷ୍ଟ ଜାତ ହୋଇପାରେ । ଯେମାନେ ଆମ୍ଭମାନଙ୍କୁ ବିଜ୍ଞ ମଣନ୍ତି, ସେମାନଙ୍କ ସଙ୍ଗେ ଆମ୍ଭେମାନେ ଯେତେବେଳେ କଥା କହୁଥାଉଁ, ଆମ୍ଭମାନଙ୍କୁ ପ୍ରକୃତ ବିଜ୍ଞପରି ଦିଶେ । ମାତ୍ର ଯେ ଆମ୍ଭମାନଙ୍କୁ ନିର୍ବୋଧ ମଣନ୍ତି, ସେ ଲୋକ ପାଖକୁ ଗଲାକ୍ଷଣି ତାହାଙ୍କର ଅଶ୍ରଦ୍ଧାର କର୍କଶ ପ୍ରଭାବରୁ ଆମ୍ଭେମାନେ ପ୍ରକୃତ ନିର୍ବୋଧ ପରି ଆଚରଣ କରୁଁ । କୌଣସି ଲୋକକୁ କୌଣସି ଗୁଣରେ ଗୁଣୀ ଦେଖିବାର ତୁମ୍ଭର ଯେବେ ସ୍ପୃହା ଥିବ, ସତେ ଯେମନ୍ତ ତାହାର ସେହି ଗୁଣ ଅଛି, ଏହପରି ପ୍ରଶଂସା କରିବ । ମିଥ୍ୟା ପ୍ରଶଂସା କରିବ ନାହିଁ । ଟିକେ ଥିଲେ ସେହି ଟିକର ପ୍ରଶଂସା କରିବ ।

 

ଏପରି କଲେ ଦେଖିବ, ଅଳ୍ପ ଦିନ ମଧ୍ୟରେ ତାହାର ସେହି ଗୁର ବଢ଼ିବ । ଅନେକ ଚତୁର ସ୍ୱାମୀ ଆପଣା ସ୍ତ୍ରୀକୁ ସତୀ ବୋଲନ୍ତି । ଆଚାର୍ଯ୍ୟ ଶିରୋମଣି ଆର୍‌ନଲଡ଼୍‌ ଆପଣା ଛାତ୍ରବୃନ୍ଦଙ୍କୁ ଅନେକ ଥର ସତ୍ୟବାଦୀ ବୋଲି ପ୍ରଶଂସା କରୁଥିଲେ । ସବୁ ମାନସିକ ଅଥବା ନୈତିକ ଗୁଣ ଶିକ୍ଷା ବିଷୟରେ ଏହି ରୀତି ଅନୁସରି ଚଳିଲେ ଗୁଣ ଶିକ୍ଷା ନାରୀକେଳଖଣ୍ଡ ସେବନ ପରି ସୁଖକର ହୁଅନ୍ତା । କୌଣସି ପିଲାକୁ ନିତି କହ, ‘‘ତୁ ଗୋଟାଏ ଗଧ’’- ଦେଖିବ ଶେଷକୁ ସେ ଗୋଟିଏ ନୃ-ଗଧ ହେବ । ଏଥିପାଇଁ ଯେ ଲୋକ ଆମ୍ଭମାନଙ୍କୁ ତୁଚ୍ଛ ମଣନ୍ତି, ସେ ଲୋକର ସଂସର୍ଗରେ ସବୁବେଳେ ରହିବାର ଅନୁଚିତ ଅଟେ । ଯାହାଙ୍କର ଆମ୍ଭଠାରେ ଶ୍ରଦ୍ଧା ଅଛି, ଯେ ଆମ୍ଭମାନଙ୍କ ଗୁଣର ପକ୍ଷପାତୀ ଅଟନ୍ତି, ଏପରି ଲୋକଙ୍କୁ ମିତ୍ରତ୍ୱରେ ବରିଲେ ଆମ୍ଭର ଗୁଣୋତ୍କର୍ଷ ହେବ । ହେତୁ କି ସେମାନଙ୍କର ପ୍ରଶଂସାରେ ଆମ୍ଭର ଉତ୍ସାହ ଦିନକୁ ଦିନ ବଢ଼ୁଥିବ । ଶ୍ରୋତ୍ରୁବୃନ୍ଦକୁ ସହୃଦୟ ଓ ଅବହିତ ଜାଣିଲେ ବକ୍ତା ତୁଣ୍ଡରେ ସରସ୍ୱତୀ ଆବିର୍ଭୂତ ହୁଅନ୍ତି, ଗାୟକ କଣ୍ଠରେ ନାଦବ୍ରହ୍ମ ଆବିର୍ଭୂତ ହୁଅନ୍ତି । ମାତ୍ର ଏହା ବୋଲି ଯେ ସରଳଭାବରେ ଆମ୍ଭକୁ ଅଯୋଗ୍ୟ ମଣନ୍ତି, ତାଙ୍କଠାରେ କ୍ରୁଦ୍ଧ ହେବାର ଅବା ତାଙ୍କୁ ଘୃଣା କରିବାର ଅବିହିତ ଅଟେ । ତାଙ୍କର ଚାରା ନାହିଁ । ତାଙ୍କ ବୁଦ୍ଧି ଓ ରୁଚି ବଳାତ୍କାର କରି ତାହାଙ୍କୁ ସେହି ମତ ଅବଲମ୍ବନ କରାଉଅଛି । ରୁଚି ବିଷୟରେ ସବୁ ଲୋକର କେବେ ଐକ୍ୟ ହେବ ନାହିଁ । ତର୍କ ରୁଚିକୁ ଫେରାଇ ପାରେନାହିଁ । ଈଶ୍ୱର ତାଙ୍କୁ ଏପରି ପ୍ରକୃତିବିଶିଷ୍ଟ କରିଅଛନ୍ତି ଯେ ସେଥିଯୋଗୁଁ ସେ ତୁମ୍ଭର ଗ୍ରନ୍ଥକୁ ଅସାର ମଣୁଅଛନ୍ତି, ଅବା ତୁମ୍ଭର ଗ୍ରନ୍ଥର ଉତ୍କର୍ଷ ଅନୁଭବ କରିପାରୁନାହାନ୍ତି । ଏଥିରେ ତାଙ୍କର ଦୋଷ ନାହିଁ । ସରଳଭାବରେ ସେ ଯେଉଁ ମତ ଅବଲମ୍ବନ କରିଅଛନ୍ତି, ସେ ମତ ପ୍ରକାଶ କରିବା ନିମନ୍ତେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ହଁ, ତୁମ୍ଭଠାରେ ସେହି କଟୁ ମତ ବ୍ୟକ୍ତ କରିବାର ଶିଷ୍ଟାଚାରବିରୁଦ୍ଧ ଅଟେ, ଏହା ସମସ୍ତେ ଏକ ବୋଲିବେ । ଅପରିହାର୍ଯ୍ୟ ପ୍ରୟୋଜନ ବେଳ ବ୍ୟତୀତ ଅନ୍ୟ ସମୟରେ କାହାରିକୁ କଟୁ କଥା ବୋଲିବାର ଅନୁଚିତ। ପ୍ରୟୋଜନ ବିରହରେ ‌ଯେବେ ତୁମ୍ଭେ କାହାରିକୁ ବୋଲ ଯେ, ତୁମ୍ଭେ ତାହାଙ୍କୁ ଅପଦାର୍ଥ ଜାଣ, ତୁମ୍ଭର ମତ ନିମନ୍ତେ ତୁମ୍ଭଙ୍କୁ ଭର୍ତ୍ସନା କରିବାର ତାଙ୍କର ଉଚିତ ନୁହେ; ମାତ୍ର ବିନା ପ୍ରୟୋଜନରେ ତାଙ୍କଠାରେ ସେହି କଟୁ ମତ ପ୍ରକାଶଦ୍ୱାରା ତୁମ୍ଭର ଯେଉଁ ହିଂସା ସୂଚିତ ହେଲା, ସେଥିପାଇଁ ତୁମ୍ଭକୁ ତିରସ୍କାର କରିବା ନିମନ୍ତେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ସେ ଯେବେ ତୁମ୍ଭ ପ୍ରତିକୂଳରେ କାହାରିଠାରେ କୌଣସି ମତ ପ୍ରକାଶ କରନ୍ତି, ଆଉ ସେହି ବ୍ୟକ୍ତି ଯେବେ ତୁମ୍ଭଠାକୁ ଆସି ତୁମ୍ଭକୁ ସେହି କଥା ଜଣାଏ , ତେବେ ପ୍ରଥମ ବ୍ୟକ୍ତିଙ୍କ ଉପରେ କ୍ରୁଦ୍ଧ ନହୋଇ ସେହି ଖଚୁଆ ଉପରେ କ୍ରୁଦ୍ଧ ହେବାର ଉଚିତ । ହେତୁ କି ସେ ଖଚୁଆ ତୁମ୍ଭର ମନୋ ଦୁଃଖର ହେତୁ ଅଟେ । ସେ କହିନଥିଲେ ତୁମ୍ଭେ ଜାଣିନଥାନ୍ତ, ଜାଣିନଥିଲେ ତୁମ୍ଭର କଷ୍ଟ ହୋଇନଥାନ୍ତା ।

 

ଯେଉଁମାନେ ଆମ୍ଭର ସୁଖର ପକ୍ଷପାତୀ ଅଟନ୍ତି, ସ୍ୱଭାବତଃ ସେମାନଙ୍କଠାରେ ଆମ୍ଭର ଶ୍ରଦ୍ଧା ଜାତ ହୁଏ । ଏହି ନିରପେକ୍ଷ ନ୍ୟାୟସଙ୍ଗତ ନୁହେ । ମାତ୍ର ଅନେକ କଥା ନିରପେକ୍ଷ ନ୍ୟାୟସଙ୍ଗତ ନହୋଇ ମଧ୍ୟ ଆମ୍ଭମାନଙ୍କର ପ୍ରୀତିକର ହୁଏ । ଯେ ଲୋକ ତୁମ୍ଭ ଗୁଣର ପ୍ରଶଂସା କରନ୍ତି, ତୁମ୍ଭ ପ୍ରତି ମଧୁରବାକ୍ୟ ପ୍ରୟୋଗ କରନ୍ତି, ସ୍ୱଭାବତଃ ତାଙ୍କଠାରେ ତୁମ୍ଭର ସ୍ନେହ ହେବ । ଅନେକ ଦେଖିଲେ, ଅନେକ ଜାଣିଲେ ତୁମ୍ଭର ସେହି ସ୍ନେହ ହ୍ରାସକୁ ଲଭିବ । ସଂସାରରେ ଗତି ନୀତି ଯେମାନେ ସୂକ୍ଷ୍ମରୂପରେ ଜାଣିଅଛନ୍ତି, ସେମାନଙ୍କର ମନ ଏପରି ଉଦାସୀନ ହୋଇଥାଏ ଯେ ସେମାନେ ପ୍ରଶଂସକକୁ ନିନ୍ଦୁକଠାରୁ ବିଶେଷ କରି ପାଞ୍ଚନ୍ତି ନାହିଁ । ମାତ୍ର ଏପରି ଔଦାସୀନ୍ୟ ଲଭିବା ପାଇଁ ବ୍ୟଗ୍ର ହେବ ନାହିଁ । କେହି କେହି ପ୍ରବୀଣ ଗ୍ରନ୍ଥକାର ନିଜ ଗ୍ରନ୍ଥର ପ୍ରଶଂସା ଶୁଣିଲେ ଆହ୍ଲାଦ ଲଭନ୍ତି; ମାତ୍ର ନିନ୍ଦା ଶୁଣିଲେ ବିରକ୍ତ ହୁଅନ୍ତି ନାହିଁ । ମନକୁ ଯେବେ ଏହିପରି କରିପାରିବ, ତେବେ ସିନା ଶାନ୍ତି ଲଭିବ ?

 

ସରଳଭାବରେ କେହି ତୁମ୍ଭକୁ ନିନ୍ଦା କଲେ ତୁମ୍ଭ ମନରେ ଯେପରି ଭାବ ଉଦିତ ହେବ, କୁଟିଳଭାବରେ ନିନ୍ଦା କଲେ ଅବଶ୍ୟ ସେଥିରୁ ଅନ୍ୟରୂପ ଭାବ ଉଦିତ ହେବ । ତୁମ୍ଭର ପ୍ରକୃତରେ ଦୋଷ ନଥିଲେ ସୁଦ୍ଧା ମିଛରେ ତୁମ୍ଭ ସମ୍ବନ୍ଧରେ କେହି ଅନୁଚିତ କଟୁ ମତ ପ୍ରକାଶ କରିବେ, ତୁମ୍ଭ ନାମରେ କଳଙ୍କ ରଟାଇବେ । ଏମନ୍ତ ସ୍ଥଳରେ ସେହି ପ୍ରତିକୂଳ ମତ ନିମନ୍ତେ ବିରକ୍ତ ନ ହୋଇ ବରଂ ସେହି ମତ-ପ୍ରକାଶ-ସୂଚିତ ହିଂସା ଓ ମିଥ୍ୟାବାଦିତା ଘେନି ତୁମ୍ଭର ମନ ବିଚଳିତ ହୋଇପାରେ । ତୁମ୍ଭେ କ’ଣ କ୍ରୁଦ୍ଧ ହେବ ? ହଁ, ଏମନ୍ତ କ୍ରୂର ଲୋକ ସଙ୍ଗେ କାରବାର କରିବାର ଉଚିତ ନୁହେଁ, ଏପରି ଲୋକ ସଂସର୍ଗରେ ତୁମ୍ଭର ମହାନ୍ ଅନିଷ୍ଟ ଘଟିପାରେ । ଏଣୁକରି ସାବଧାନ ହେବ, ମାତ୍ର କ୍ରୁଦ୍ଧ ହେଲେ ନିଆଁ କୁହୁଳିବ ସିନା, ଲିଭିବ ତ ନାହିଁ । ଅନେକ ଭାଳି ଦେଖିଲେ ଜାଣିବ, ଏପରି ନୀଚପ୍ରକୃତିକ ଲୋକ ଉପରେ କ୍ରୁଦ୍ଧ ହେଲେ ଆଉ ତ କିଛି ହେବ ନାହିଁ, କେବଳ ତୁମ୍ଭର ମନର ଶାନ୍ତି ବିଚଳିତ ହେବ । ତୁମ୍ଭେ ଭାଳୁଅଛ, ‘‘ବିନା କାରଣରେ ବୃଥାରେ ମୋହର ଗ୍ଳାନି କଲା ।’’ ନିନ୍ଦୁକ ଭାଳୁଅଛି, ‘‘ତୁମ୍ଭକୁ ନିନ୍ଦା କରିବାର ଅନେକ ହେତୁ ଅଛି ।’’ ସେ ନିୟନ୍ତ୍ରଣ କରିଥିଲା, ତୁମ୍ଭେ ଯାଇ ନାହଁ । ସେ ତୁମ୍ଭକୁ ଋଣ ମାଗିଥିଲା, ଦେଇ ନାହଁ । ତା’ ପୁଅ ତୁମ୍ଭଠାକୁ ଆସିଲା, ତାକୁ ଥରେ କାଖେଇଲ ନାହିଁ । ଏଗୁଡ଼ିକ ଭଲ କାରଣ ନୁହେଁ; ମାତ୍ର କାରଣ ତ ? ଚଳିବ ନାହିଁ, ଦେଖ ସମସ୍ତେ ଦୋଷୀଟି ! ତୁମ୍ଭର ଏହିପରି ଦୋଷ କେତେ ଥିବ । ଏପରି ନ ଥାଉ, ଅନ୍ୟ ଦୋଷ ଥିବ । କ୍ଷମା ଲଭିବ ତ କ୍ଷମା କର ।

 

ସମସ୍ତଙ୍କର ଏହା ମନରେ ରଖିବା ଉଚିତ ଯେ ରୁଚି ବିଷୟରେ ସମସ୍ତଙ୍କର ଏକମତ ହୋଇ ପାରିବନାହିଁ । ଖଣ୍ଡିଏ ପୋଥି ପଢ଼ି ତୁମ୍ଭେ ଅତ୍ୟନ୍ତ ପ୍ରୀତ ହେଲ । ତୁମ୍ଭ ଜାଣିବାରେ ଏମନ୍ତ ପୋଥି ଆଉ ନାହିଁ । ସେ ପୋଥି ଖଣ୍ଡ ଯେ ପଢ଼ି ନାହିଁ, ତାହାକୁ ତୁମ୍ଭେ ଦୁର୍ଭାଗ୍ୟ ମଣୁଅଛ । ମଫସଲର ଦରିଦ୍ର ଲୋକ କେବେ ସନ୍ଦେଶର ସ୍ୱାଦ ପାଇ ନାହିଁ । ତୁମ୍ଭେ ବଡ଼ଲୋକ, ନଗରବାସୀ, ପ୍ରତିଦିନ ସନ୍ଦେଶ ଖାଉଅଛ । ପାଟିରେ ପକାଇ ସ୍ୱାଦ ନେଲାବେଳେ ‘‘ଯେମାନେ ଏମନ୍ତ ପଦାର୍ଥର ସ୍ୱାଦ ନ ପାଇଲେ ସେମାନଙ୍କର ଜନ୍ମ ବିଫଳ’’ ଏହା ଭାଳୁଅଛ । ତୁମ୍ଭର ଜଣେ ବିଦ୍ୱାନ୍ ବନ୍ଧୁ ତୁମ୍ଭ ଘରକୁ ଆସିଲେ । ଯେଉଁ ପୋଥି ଖଣ୍ଡ ପଢ଼ି ତୁମ୍ଭେ ଏଡ଼େ ପ୍ରୀତ ହୋଇଥିଲ, ସେହି ପୋଥି କଥା ବନ୍ଧୁଙ୍କୁ କହିଲ । ବନ୍ଧୁ ସେ ପୋଥି ପଢ଼ିଅଛନ୍ତି, ମାତ୍ର ତୁମ୍ଭେ ପଢ଼ି ଯେତେ ପ୍ରୀତ ହୋଇଅଛ, ସେ ପଢ଼ି ତେମନ୍ତ ପ୍ରୀତ ହୋଇନାହାନ୍ତି, ବରଂ ବିରକ୍ତ ହୋଇଅଛନ୍ତି । ଏଥିପାଇଁ ତାଙ୍କୁ କ’ଣ ଦୂଷିବ ? ତାଙ୍କର ମନ୍ତବ୍ୟ ଶୁଣି ତାଙ୍କଠାରେ ତୁମ୍ଭର କୋପ ଜାତ ହୋଇଅଛି । ବାହାରେ ଉପରୋଧରୁ କିଛି କହୁ ନାହିଁ । ମାତ୍ର ଏଡ଼େ ନିର୍ବୋଧ ଜାଣିଥିଲେ ମୁଁ ଏହା ସଙ୍ଗେ ବନ୍ଧୁତା କରିନଥାନ୍ତି, ଆଉ ଏହାସଙ୍ଗେ କଥା ପହିବିନାହିଁ, ଅନ୍ତରରେ ଏହିତା ଭାଳୁଅଛ । ତୁମ୍ଭର ପ୍ରିୟ ଗ୍ରନ୍ଥର ମାଧୁରୀ ସେ କିପାଁ ଅବା ବୁଝିନପାରିଲେ, ଏହା ଭାବି ଚମତ୍କୃତ ହେଉଅଛ । ନା, ତାଙ୍କର ଦୋଷ ନାହିଁ । ତାଙ୍କର ଅବସ୍ଥା ଭିନେ ତୁମ୍ଭର ଭିନେ, ତାଙ୍କର ଶିକ୍ଷା ଏକପ୍ରକାର, ତୁମ୍ଭର ଶିକ୍ଷା ଅନ୍ୟ ପ୍ରକାର । ପୁଣି ଶିକ୍ଷା ଓ ଅବସ୍ଥା ଏ ଦୁହେଁ ଏକା ହେଲେ ସୁଦ୍ଧା ରୁଚିଭେଦ ହେବାର ସମ୍ଭାବନା । ପ୍ରକୃତିର ମଧ୍ୟ ଏଥିରେ କିଛି ଅଛି । ଏମନ୍ତ ସୁଦ୍ଧା ଘଟିଥାଏ ଯେ ଖଣ୍ଡିଏ ପୋଥି ସାଧାରଣର ଆଦରଣୀୟ ହୋଇଅଛି, ମାତ୍ର ତୁମ୍ଭକୁ ସେ ପୋଥି ଭଲ ଲାଗୁ ନାହିଁ । ସମସ୍ତେ ଯାହାକୁ ଭଲ କହୁଛନ୍ତି, ମୁଁ ତାକୁ କିମିତି ମନ୍ଦ ବୋଲିବି, ଏହା ଭାଳି ଲୋକଲଜ୍ଜା ଭୟରେ ତୁମ୍ଭେ ଆପଣାର ଅଶ୍ରଦ୍ଧାକୁ ଲୁଚାଉଅଛ । ଫଳ କଥା ଏତିକି ଜାଣିଥିବ, ଯେଉଁ ପୋଥି ତୁମ୍ଭର ପ୍ରକୃତ ଶିକ୍ଷା ଏବଂ ଅବସ୍ଥା ସଙ୍ଗେ ଅଧିକ ମିଳିବ, ସେହି ପୋଥି ତୁମ୍ଭଙ୍କୁ ଭଲଲାଗିବ । ଭର୍ତ୍ତୃହରିଙ୍କର ଚାରୋଟି ଶ୍ଳୋକ ପଢ଼ି ମୋହର ଯେମନ୍ତ ସୁଖ ହୁଏ, ମାଘରୁ ସର୍ଗେ ପଢ଼ିଲେ ତାହା ହୁଏ ନାହିଁ । ମୁଁ ଏମନ୍ତ କହୁ ନାହିଁ ଯେ ମାଘଠାରୁ ଭର୍ତ୍ତୃହରି ବଡ଼ କବି-। ମାତ୍ର ମୋହର ମନର କଥା ଭର୍ତ୍ତୃହରି ଯେତେ କହନ୍ତି, ମାଘ ତେତେ କହନ୍ତି ନାହିଁ । ରୁଚିଭେଦ ହେବାର ସମ୍ଭାବନା ଆଗହୁଁ କଳି ସେଥିପାଇଁ ପ୍ରସ୍ତୁତ ଥିବା ଭଲ । ଖଣ୍ଡିଏ ନୂଆ ପୋଥି ବାହାରିଲା । କୌଣସି ସମ୍ବାଦପତ୍ରରେ ସେଥିର ଅନୁକୂଳ ସମାଲୋଚନା ପଢ଼ି ତୁମ୍ଭେ ସେହି ପୋଥିର ପକ୍ଷପାତୀ ହେଲ । ପୁଣି ଆଉ ଖଣ୍ଡିଏ ସମ୍ବାଦପତ୍ରରେ ସେଥିର ପ୍ରତିକୂଳ ସମାଲୋଚନା ଦେଖି ଚମତ୍କୃତ ହେଲ। ମାତ୍ର ଚମତ୍କୃତ ହେବାର କୌଣସି ହେତୁ ନାହିଁ । ମହାକବି ଗେଟେଙ୍କ ରଚିତ ଖଣ୍ଡିଏ ଉପନ୍ୟାସ ସମ୍ବନ୍ଧରେ ପଣ୍ଡିତବର ଜେଫରୀ ଯେପରି ମନ୍ତବ୍ୟ ପ୍ରକାଶ କରିଅଛନ୍ତି, ପଣ୍ଡିତବର ଲୁଇସ୍‌ ସେଥିର ବିପରୀତ ମତ ପ୍ରକାଶ କରିଅଛନ୍ତି । ଜେଫରୀ ଅଯୋଗ୍ୟ ନୁହନ୍ତି। ଲୁଇସ୍‌ ଅଯୋଗ୍ୟ ନୁହନ୍ତି । କେହି କାହାକୁ ଊଣା ନୁହନ୍ତି ।

 

ଯେ ବ୍ୟକ୍ତି ତୁମ୍ଭଙ୍କୁ ମନ୍ଦ ଲୋକ ବୋଲି ଜାଣନ୍ତି, ତାଙ୍କଠାରେ ଶତ୍ରୁତା ନ କରି ବରଂ ତାଙ୍କର ସେହି ସଂସ୍କାରକୁ ଦୂର କରିବା ନିମନ୍ତେ ଚେଷ୍ଟା କରିବାର ବିହିତ । କୌଣସି ସାଧୁବ୍ୟକ୍ତି କୌଣସି କଥାରୁ ତୁମ୍ଭକୁ ମନ୍ଦ ଲୋକ ବୋଲି ଅନୁମାନ କରନ୍ତି । ଯେଉଁ କାରଣରୁ ସେ ଏପରି ଅନୁମାନ କରନ୍ତି, ସେଥି ସଙ୍ଗେ ଅନ୍ୟାନ୍ୟ ଅନେକ କଥା ଅଛି, ତାହା ତାଙ୍କୁ ଜଣାନାହିଁ । ସବୁ ଜାଣିଥିଲେ କେବେ ତାଙ୍କର ଏପରି ଅନୁମାନ ହୋଇନଥାନ୍ତା । ମନୁଷ୍ୟ ସର୍ବଜ୍ଞ ନୁହେ । ତାଙ୍କର ଦୋଷ ନାହିଁ । ତୁମ୍ଭେ କହିବ, ‘‘ସବୁ କଥା ନ ବୁଝି ନ ଜାଣି କାହିଁକି ମତେ ଦୋଷୀ ବୋଇଲେ ?’’ ମାତ୍ର ତୁମ୍ଭର ଏତିକି ବିଚାରିବାର ଉଚିତ ଯେ ଯାହା ଜାଣି ସେ ତୁମ୍ଭକୁ ମନ୍ଦ ଭାଳୁଅଛନ୍ତି, ସେଥି ସଙ୍ଗେ ଆହୁରି ଅନେକ କଥା ଅଛି । ଏହା ଯେବେ ସେ ଜାଣିଥାନ୍ତେ, ତେବେ ସିନା ସବୁ ବୁଝିଥାନ୍ତେ ଅବା ବୁଝିବାକୁ ଚେଷ୍ଟା କରିଥାନ୍ତେ ? ତାଙ୍କୁ ତୁମ୍ଭେ ଯେଉଁ ଦୋଷରେ ଦୋଷୀ ମଣୁଅଛ, ତୁମ୍ଭଠାରେ କ’ଣ ସେ ଦୋଷ ନାହିଁ ? ଦିନେ ତୁମ୍ଭେ କଚେରିରେ କୌଣସି କର୍ମଚାରୀକୁ ଦେଖି ଜୁହାର ହେଲ । ମାତ୍ର ସେ ତୁମ୍ଭକୁ କିଛି ନ କହି ମୁଖ ଗମ୍ଭୀର କରି ହାତରେ ଥିବା କାଗଜ ପଢ଼ିବାକୁ ଲାଗିଲେ । ତୁମ୍ଭ ଦେହ ଜଳିଗଲା । ‘‘ଏଡ଼େ ଅହଙ୍କାରୀ, ପଦେ କଥା କହିଲା ନାହିଁ !’’ ସେହି ଦିନଠାରୁ ତୁମ୍ଭର ପ୍ରତିଜ୍ଞା ହେଲା ଯେ ତାଙ୍କ ସଙ୍ଗେ ବାକ୍ୟାଳାପ କରିବ ନାହିଁ । ପୁଣି କୌଣସି କର୍ମ ନିମନ୍ତେ ତାଙ୍କ ଘରକୁ ଅନିଚ୍ଛାପୂର୍ବକ ଗଲ, ସେ ତୁମ୍ଭକୁ ଦେଖି ଜୁହାର ହେଲେ, ମନ ଫେଡ଼ି ତୁମ୍ଭକୁ ସବୁ କଥା କହିଲେ, ପ୍ରକୃତ ବନ୍ଧୁପରି ତୁମ୍ଭ ସଙ୍ଗେ ବ୍ୟବହାର କଲେ । ତାଙ୍କର ଆଚରଣ ଦେଖି ତୁମ୍ଭେ ଆପଣାକୁ ଧିକ୍‌କାର ଦେଲ। ‘‘ଏଡ଼େ ଭଲ ଲୋକକୁ ମୁଁ କାହିଁକି ମନ୍ଦ ଭାଳିଥିଲି ?’’ ଏହା ପାଞ୍ଚି ମନରେ ଲଜ୍ଜିତ ହେଲ। କାହାରି ଘରେ ତୁମ୍ଭେ ବସିଅଛ, ଜଣେ ଭିକ୍ଷୁକ ଆସି ଗୃହସ୍ଥକ କିଛି ମାଗିଲା । ଗୃହସ୍ଥ କୂପିତ ଭିକ୍ଷୁକକୁ ତଡ଼ିଦେଲେ । ଏହା ଦେଖି ତୁମ୍ଭେ ଭାଳିଲ ଯେ ଗୃହସ୍ଥ ବଡ଼ ନିର୍ଦୟ । ଏଡ଼େ ପାଷଣ୍ଡ ତୁମ୍ଭେ ଦେଖି ନାହଁ । ପୁଣି ଦିନେ ବାଟରେ ଆସୁ ଆସୁ ଦେଖିଲ ଯେ ସେହି ବ୍ୟକ୍ତି ବାଟ ପାଖରେ ଥିବା ଗୋଟିଏ ଅନ୍ଧର ପଲାରୁ ବାହାରିଆସିଲେ, ଅନ୍ଧ ଆନନ୍ଦିତ ହୋଇ ତାହାଙ୍କୁ ଆଶୀର୍ବାଦ କଲା । ଏହା ଦେଖି ତୁମ୍ଭର ପୂର୍ବ ସଂସ୍କାର ସେହିକ୍ଷଣି ଘୁଞ୍ଚିଗଲା । ତୁମ୍ଭେ ତାହାଙ୍କୁ ପରମଦୟାଳୁ ବୋଲି ଜାଣିଲ । ଅବଶ୍ୟ କେତେଗୁଡ଼ିଏ ନରାଧମ ଅଛନ୍ତି, ତାଙ୍କୁ ପ୍ରଥମେ ଦେଖି ଯେ ସଂସ୍କାର ଜନ୍ମିବ, ଶହେ ଥର ଦେଖିଲା ଉତ୍ତାରୁ ସୁଦ୍ଧା ସେ ସଂସ୍କାର ଟଳିବ ନାହିଁ । ମାତ୍ର ଏମନ୍ତ ଲୋକ ଅତି ଅଳ୍ପ। ସହସ୍ରରେ ଜଣେ ଅଧ ଦେଖାଯାନ୍ତି। କେହି ତୁମ୍ଭକୁ ଧର୍ମ ଯୁଧିଷ୍ଠିର କରି ଜାଣନ୍ତି। ତାଙ୍କ ଜାଣିବା‌ରେ ତୁମ୍ଭ ପରି ସରଳ ଉଦାର ଆଉ ନାହିଁ । ତୁମ୍ଭେ ଯେବେ ପ୍ରକୃତରେ ଚତୁର ହୋଇଥିବ, ଏପରି ଲୋକ ସହିତ ଅତ୍ୟନ୍ତ ଘନିଷ୍ଠ ସଂସର୍ଗ କରିବାକୁ ମନ ବଳିବ ନାହିଁ । ଏପରି ଲୋକ ତୁମ୍ଭର ଆଚାର ବ୍ୟବହାର ଯେତେ ଅଳ୍ପ ଜାଣିବେ, ତେତେ ଭଲ । ହେତୁ କି, ତୁମ୍ଭର ସବୁ କଥା ଜାଣିଲା ଉତ୍ତାରୁ ତାହାଙ୍କର ପୂର୍ବ ଶ୍ରଦ୍ଧା, ପୂର୍ବ ଭକ୍ତି ଟଳିଯିବ । ଯୁବା ପୁରୁଷମାନେ କାହାରି ସଦ୍‌ଗୁଣ ଦେଖି ଅତ୍ୟନ୍ତ ମୋହିତ ହୋଇଯାନ୍ତି, ତାଙ୍କ ସଙ୍ଗେ ବନ୍ଧୁତା କରିବାକୁ ଉତ୍ସୁକ ହୁଅନ୍ତି; ବନ୍ଧୁତା ହେଲା ଉତ୍ତାରୁ ତାଙ୍କ ସଙ୍ଗେ ଘନିଷ୍ଠ ସଂସର୍ଗ ହେବାରୁ ପୂର୍ବ ମୋହ ଭାଙ୍ଗିଯାଏ, ପଛକୁ ସେହି ‘‘ଅଭିନ୍ନହୃଦୟ’’ ବନ୍ଧୁଙ୍କୁ ସାମାନ୍ୟ ଲୋକରୁ ବିଶେଷ କରି ପାଞ୍ଚନ୍ତି ନାହିଁ । କୌଣସି ସ୍ଥାନ ଦେଖିବା ଆଗେ କଳ୍ପନା ସେଥିର ଛବି ଦେଖାଇଥାଏ । ସେହି ଛବି ସଙ୍ଗେ ଘେନି ଆମ୍ଭେ ସେହି ସ୍ଥାନକୁ ଯାଉଁ । ସ୍ଥାନକୁ ଯାଇ ଦେଖୁଁ ଯେ କଳ୍ପନାର ଛବିରୁ ପ୍ରକୃତ ଛବି ଅନେକ ଅନ୍ତର। ଯେ‌ତେ ନିକଟବର୍ତ୍ତୀ ହେଉଥାଉଁ, ସେହି ପରିମାଣରେ ଅଶ୍ରଦ୍ଧା ବଳବତୀ ହେଉଥାଏ । ଅନେକ କବିଙ୍କର ରସମୟୀ ଲେଖନୀନିଃସୃତ କବିତା ପଢ଼ି କବିଠାରେ ଆମ୍ଭମାନଙ୍କର ନିର୍ମଳ ଶ୍ରଦ୍ଧା ଜାତ ହୁଏ । କବିଙ୍କୁ ଦେଖିବାପାଇଁ ନିତାନ୍ତ ଉତ୍ସୁକ ହେଉଁ । କଳ୍ପନା ତାହାଙ୍କର ଗୋଟିଏ ମୋହିନୀ ମୂର୍ତ୍ତି ହୃଦୟପଟରେ ଚିତ୍ରିତ କରିଦିଏ । ମାତ୍ର ପ୍ରକୃତ ମୂର୍ତ୍ତିକୁ ଦେଖିଲେ ନିଶ୍ଚୟ ହତାଶ ହେବ । କାଳିଦାସ ଲମ୍ଫଟ ଥିଲେ, ବେଶ୍ୟାସକ୍ତ ଥିଲେ, ଏହା ଶୁଣିଲାକ୍ଷଣି କଷ୍ଟ ହୁଏ, ପ୍ରବାଦକୁ ଅଳୀକ ମଣିବାକୁ ପ୍ରବୃତ୍ତି ହୁଏ । ମେଘଦୂତରେ ଯକ୍ଷର ନିଜ ପତ୍ନୀ ପ୍ରତି ଅନୁରାଗ ବର୍ଣ୍ଣନା ସ୍ଥଳରେ ଯେ କବି ଏମନ୍ତ ସ୍ୱର୍ଗୀୟ ମାଧୁରୀ ଦେଖାଇଅଛନ୍ତି, ସେ ଲମ୍ପଟ ଥିଲେ ? ମାତ୍ର ଏହା ଅସମ୍ଭବ ନୁହେ। ଯକ୍ଷରୂପୀ କାଳିଦାସକୁ ପ୍ରକୃତ କାଳିଦାସ ମଣିବାର ଅଦୂରଦର୍ଶିତାର କାର୍ଯ୍ୟ । ପିଲାମାନେ ମହାଭାରତ ରାମାୟଣ ପଢ଼ି ସେଥିରେ ବର୍ଣ୍ଣିତ ଉଦାର ନାୟକ ନାୟିକାଙ୍କର ଅତ୍ୟନ୍ତ ପକ୍ଷପାତୀ ହୁଅନ୍ତି । କବିର ଚାତୁରୀ ବୁଝିନପାରି ସେହି ନାୟକ ନାୟିକାମାନେ ପଦ୍ୟରେ କଥାବାର୍ତ୍ତା କରୁଥିଲେ, ଏହିତା ଭାଳନ୍ତି, ଏ ସେହିପରି। ଯେ ବ୍ୟକ୍ତି ତୁଣ୍ଡରୁ କଞ୍ଚା ଗଦ୍ୟ ବିନୁ ଆଉ କିଛି ବାହାରେ ନାହିଁ, କାବ୍ୟରଚୟିତା ନିଜ ଚାତୁରୀଦ୍ୱାରା ତାହା ତୁଣ୍ଡରୁ ମନୋହର ପଦ୍ୟ ନିର୍ଗତ କରାନ୍ତି । ଯେ କବି ପରଦାରା ବିନୁ ଆନ କିଛି ଜାଣନ୍ତି ନାହିଁ, ପ୍ରକୃତ ପ୍ରଣୟର ସ୍ୱାଦ କେବେ ପାଇ ନାହାନ୍ତି, ବିଶ୍ୱକାବ୍ୟରଚୟିତା ତାହାରି ଲେଖନୀରୁ ସ୍ୱର୍ଗୀୟ ଦାମ୍ପତ୍ୟ ପ୍ରଣୟରସର ସ୍ରୋତ ପ୍ରବାହିତ କରାନ୍ତି । ସଚ୍ଚରିତ୍ରତା ଯୋଗୁଁ ଅବା ସାଧାରଣ ଗୁଣ ଯୋଗୁଁ ସବୁଠାରେ ତୁମ୍ଭର ନାଁ ପଡ଼ୁଅଛି, ବହୁ ଦୂରଯାଏ ତୁମ୍ଭର ନାମ ବ୍ୟାପିଅଛି । କେହି ଦୂରରୁ ତୁମ୍ଭଙ୍କୁ ଦେଖିବାପାଇଁ ଆସିଲେ । ଥରେ ଅବା ଦୁଇ ଥର ତାଙ୍କ ସଙ୍ଗେ ଆଳାପ କରି ତାଙ୍କୁ ମେଲାଣି ଦେବାର ଭଲ। ଏତେ ଦୂରରୁ ଲୋକେ ମୋତେ ଦେଖିବାକୁ ଆସିଅଛନ୍ତି, ଏହା ଭାବି ଆପଣାକୁ ଶ୍ଳାଘ୍ୟ ମଣି ତୁମ୍ଭେ ଯେବେ ତୁମ୍ଭର ସବୁ ବିଷୟ ତାହାଙ୍କୁ ଦେଖାଇବ, ତେବେ ନିଶ୍ଚେ ଜାଣିଥିବ ତୁମ୍ଭଠାରେ ତାହାଙ୍କର ଶ୍ରଦ୍ଧା ହ୍ରାସ ହୋଇଯିବ, ଶେଷକୁ ସେ ତୁମ୍ଭକୁ ସାଧାରଣ ଲୋକ ପ୍ରାୟ ମଣିବେ ।

 

ଆପଣାକୁ ସାମାନ୍ୟ ଲୋକ ପରି ଜାଣି କାର୍ଯ୍ୟ କରିବାର ଅନେକ ଦିନରେ ଶିକ୍ଷା ହୁଏ । ଆନ ଲୋକେ ଆମ୍ଭକୁ ଅଧମ ଜାଣିଲେ ବୋଲି ସେମାନଙ୍କଠାରେ କ୍ରୋଧ ନ କରିବାର ଅନେକ ଦିନରେ ଶିକ୍ଷା ହୁଏ । ଏହି ଦିଓଟି କଥା ଘେନି ଏତେବେଳଯାଏ ମାର୍ଜନା କରିଥିଲୁଁ। ଏବେ ଆଉ ଦିଓଟି କଥା କହି ନିବୃତ୍ତ ହେବୁଁ ।

 

ପ୍ରଥମ କଥା ଏହି ଯେ, କେହି ନିର୍ବୋଧ ହେଲା, ଅଳସ ହେଲା, ଅସାବଧାନ ହେଲା ବୋଲି ତାହା ଉପରେ ନିତାନ୍ତ ବିରକ୍ତ ଅବା କ୍ରୁଦ୍ଧ ହେବାର ଉଚିତ ନୁହେ। ତୁମ୍ଭେ ବୋଝ ମୁଣ୍ଡେଇଅଛ, ବୋଝ ବଡ଼ ଭାରି ହୋଇଅଛି, ଏଥିପାଇଁ ବୋଝ ଉପରେ ତୁମ୍ଭେ କ’ଣ ରାଗିବ ? ଦଉଡ଼ି ଖଣ୍ଡକୁ ଟାଣି ଟାଣି ଥକିଲ, ଛିଣ୍ଡିଲା ନାହିଁ, ଦଉଡ଼ିକୁ କ’ଣ ‘‘ବଜ୍ଜାତ, ପାଜି, ହାରମଜାଦା’’ ବୋଲି ଗାଳି ଦେବ ? ବୋଝ ଭାରୀହେଲା, ଦଉଡ଼ି ଛିଣ୍ଡିଲା ନାହିଁ ବୋଲି ତୁମ୍ଭେ ଆଉ ଆଶ୍ଚର୍ଯ୍ୟାନ୍ୱିତ ହେଉନାହଁ । ତୁମ୍ଭେ ଜାଣିଥିଲ, ବୋଝ ଭାରୀହେବ, ଦଉଡ଼ି ଝିଣ୍ଡିବ ନାହିଁ । ମନୁଷ୍ୟ ସୁଦ୍ଧା ସେହିପରି ନୋହିଲା ତ ଆଠପଣି । କେତେଗୁଡ଼ିଏ ଲୋକ ଅଛନ୍ତି ଯେ ତାଙ୍କର ଭୃତ୍ୟ କେବେ ଅଳସ ହେଲା, ଅବା ଦୁଷ୍ଟ ହେଲା, ସେଥିରେ କେବଳ ଭୃତ୍ୟ କ୍ରୁଦ୍ଧ ହେବେ । ଏମନ୍ତ ନୁହେ। ତାହାର ପ୍ରତ୍ୟେକ ଆଳସ୍ୟସୂଚକ କାର୍ଯ୍ୟରେ ଥରେ ଲେଖାଏଁ କ୍ରୁଦ୍ଧ ହେବେ, ଥରେ ଲେଖାଏଁ ଆଖି ଲାଲ କରୁଥିବେ, ଥରେ ଲେଖାଏଁ ଗାଳି ଦେଉଥିବେ। ଏଗୁଡ଼ିକ ମନୁଷ୍ୟର ସ୍ୱଭାବସୁଲଭ । ଏହା ଆଗହୁଁ ବିଚାରି ସେଥିନିମନ୍ତେ ପ୍ରସ୍ତୁତ ଥିବାର ଉଚିତ। ପିଲାମାନେ ଚାଲୁଁ ଚାଲୁଁ ଯେବେ ଝୁଣ୍ଟିପଡ଼ନ୍ତି, ଯେଉଁ ସ୍ଥାନରେ ଝୁଣ୍ଟିପଡ଼ନ୍ତି, ସେ ସ୍ଥାନକୁ ଗୋଇଠା ମାରନ୍ତି । ଏହା ଦେଖି ଆମ୍ଭେମାନେ ହସୁଁ। ଆମ୍ଭେମାନେ ବଢ଼ିଅଛୁଁ, ଜ୍ଞାନ ହୋଇଅଛି, ଜାଣୁ ସେ ସ୍ଥାନର କୌଣସି ଦୋଷ ନାହିଁ । ମାତ୍ର ଆମ୍ଭର ଇଚ୍ଛା ଚାଲୁଁ ଚାଲୁଁ ଯେବେ କାହାରି ଆଳସ୍ୟ ଅବା ଅସାବଧାନତା ସଙ୍ଗେ ଠେକ ଲାଗି ଝୁଣ୍ଟିପଡ଼େ, ଆମ୍ଭେମାନେ ତାହାକୁ ବାଡ଼େଇବାକୁ ତ୍ରୁଟି ନ କରୁଁ । ଆମ୍ଭେମାନେ ପିଲାମାନଙ୍କର କେ୍ରାଧ ଦେଖି ଯେମନ୍ତ ହସୁଁ, ଉଦାସୀନ ବିବେକୀ ଲୋକେ ଆମର କ୍ରୋଧ ଦେଖି ସୁଦ୍ଧା ସେହିପରି ହସୁଥିବେ । ତୁମ୍ଭର ଭୃତ୍ୟ ଆଳସ୍ୟ କଲା, ଥରେ ଏହା ଜାଣିଲ, ଜାଣିଲ ଯେ ତାହା ସ୍ୱଭାବ ସେହିପରି, ତାହା ଉପରେ କ୍ରୁଦ୍ଧ ହେଲ । ତେଣିକି ଆଉ ସେ ଯେତେ ଥର ଆଳସ୍ୟ କରିବ, ସେଥିରେ ତୁମ୍ଭର ଆଶ୍ଚର୍ଯ୍ୟାନ୍ୱିତ ଅବା କୁପିତ ହେବାର ଅବିହିତ। ତାହାକୁ ଅଳସୁଆ ଜାଣି ଥରେ ତ ତାହା ଉପରେ କୁପିତ ହୋଇ ଯଥେଷ୍ଟ ଦଣ୍ଡ ଦେଇଅଛ; ପଛକୁ ସେ ଯେତେ ଥର ଆଳସ୍ୟ କରିବ, ସେ ଦୋଷମାନ ସେହି ଅଳସୁଆପଣ ଭିତରେ ଗଲା । ଜଣେ ତୁମ୍ଭକୁ ଦିନେ ଗୋଟିଏ ମିଥ୍ୟା କହିଲା । ପୁଣି ଆଉ ଦିନେ କହିଲା । ପୁଣି ଆଉ ଚାରି ଦିନ ପରେ କହିଲା । ତାହାକୁ ମିଥ୍ୟାବାଦୀ ଜାଣି ସେହି ମିଥ୍ୟାବାଦିତା ନିମନ୍ତେ ଥରେ ତାହା ଉପରେ କ୍ରୁଦ୍ଧ ହୋଇ କ୍ଷାନ୍ତ ଥିବାର ଭଲ । ଥରକୁ ଥରେ ଲେଖାଏଁ କୁପିତ ହେଲେ ତୁମ୍ଭେ ଚଳି ପାରିବ ନାହିଁ । ପ୍ରକୃତିକୁ ତୁମ୍ଭେ କ’ଣ କରିବ ? ସେ କ’ଣ କରିବ ?

 

ଦ୍ୱିତୀୟ କଥା ଏହି ଯେ, କୌଣସି ସ୍ଥାନରେ ଅବା କୌଣସି ବ୍ୟକ୍ତି ପାଖରେ ତୁମ୍ଭଠାରୁ କପାଳିୟା ଅବା ତୁମ୍ଭଠାରୁ ବଡ଼ ଲୋକମାନଙ୍କର ଯେମନ୍ତ ମର୍ଯ୍ୟାଦା ହେଲା ତୁମ୍ଭର ତେମନ୍ତ ହେଲା ନାହିଁ ବୋଲି ତୁମ୍ଭର ବିରକ୍ତ ଅବା କୁପିତ ହେବାର ଅନୁଚିତ । ଅଶିକ୍ଷିତ ଅବା ଅବିବେକ ଲୋକେ ଏ କଥାକୁ ବଡ଼ ଧରନ୍ତି । ଦେଖା କରିବା ନିମନ୍ତେ ତୁମ୍ଭେ ଜମିଦାରଙ୍କ ଘରକୁ ଗଲ, ବାବୁ ଭିତରେ ଅଛନ୍ତି; ଭୃତ୍ୟ ତୁମ୍ଭର ଆସିବାର ବାର୍ତ୍ତା ଘେନିଗଲା, ତୁମ୍ଭେ ସେହିବେଳୁ ବସିଅଛ, ବାବୁଙ୍କର ଦେଖା ନାହିଁ । ହଠାତ୍ ଆଉ ଜଣେ ଧନୀ ପ୍ରଜା ପାଲିଙ୍କି ଚଢ଼ି ଜମିଦାର ବାବୁଙ୍କ ସଙ୍ଗେ ସାକ୍ଷାତ୍‌ ନିମନ୍ତେ ଆସିଲେ । ଭୃତ୍ୟ ପୁଣି ବାର୍ତ୍ତା ଘେନିଗଲା । ଜମିଦାର ବାବୁ ହଜାର କାମ ଛାଡ଼ି ଆସିଲେ, ସେହି ଧନୀ ପ୍ରଜାଙ୍କ ସଙ୍ଗେ ଆଗେ ସମ୍ଭାଷଣ କଲେ । ତା’ପରେ ତୁମ୍ଭ ସଙ୍ଗେ ସମ୍ଭାଷଣ କଲେ । ଜମିଦାରଙ୍କ ପକ୍ଷପାତ ଦେଖି ତୁମ୍ଭେ କୁପିତ ହେଲ । ‘‘ମୋର ତ ପାଲିଙ୍କି ନାହିଁ, ମତେ କାହିଁକି ପଚାରିବ !’’ ଆପଣା ବନ୍ଧୁ ସଙ୍ଗେ କଥା କହୁଁ କହୁଁ ଜମିଦାରଙ୍କୁ ଲକ୍ଷ୍ୟ କରି ଏହିପରି ବ୍ୟଙ୍ଗ କଲ । ମାତ୍ର ନିଷ୍ଠା ଜାଣିଥିବ, ଏ ବ୍ୟଙ୍ଗ ନୁହେ, ଏ ପ୍ରକୃତ କଥା । ଏପରି ହେବାର ଉଚିତ, ଏପରି ମଧ୍ୟ ହୋଇଥାଏ । ଏପରି ନ ହେଲେ ସଂସାର ଚଳିବ ନାହିଁ । ମାତବର ବ୍ୟକ୍ତମାନେ ଇତର ବ୍ୟକ୍ତିଠାରୁ ବେଶି ଆଦର ପାନ୍ତି, ଏହା ଅନେକ ଲୋକ ଜାଣନ୍ତି, ମାତ୍ର ସେହି କଥା ପୁଣି ଆପଣା ଉପରେ ପଡ଼ିଲେ ଅନେକ ଲୋକଙ୍କୁ ବାଧେ । ବସ୍ତୁତଃ ଅନ୍ୟକୁ ଆପଣାଠାରୁ ବଳି ମର୍ଯ୍ୟାଦା ଲଭିବାର ଦେଖି ସେଥିରେ ଦୁଃଖିତ ଅବା ରୁଷ୍ଟ ନୋହିବାର ଅନେକ ଦିନରେ ଶିକ୍ଷା ହୁଏ । କବି ଗୋଲ୍‌ଡ଼ସ୍ମିଥ୍ ଏକ ସଭାକୁ ଯାଇଥିଲେ। ସଭାରେ ବସି ଆପଣା ବନ୍ଧୁମାନଙ୍କ ସଙ୍ଗେ କଥା କହୁଛନ୍ତି, ଏମନ୍ତ ସମୟରେ ଜଣେ କହିଲା, ‘‘ତୁନିହୁଅ, ଜନ୍‌ସନ୍‌ ବକ୍ତୃତା କରିବେ ।’’ ଗୋଲ୍‌ଡ଼ସ୍ମିଥ୍ ଅତ୍ୟନ୍ତ କୋମଳମନା ଥିଲେ, ଅତ୍ୟନ୍ତ କୁପିତ ହେଲେ । ମାତ୍ର କୁପିତ ହେବାର ତାହାଙ୍କ ପକ୍ଷେ ଅନୁଚିତ ଥିଲା । ଜନ୍‌ସନ୍ ସମାଜରେ ପ୍ରତିଷ୍ଠା ଲଭିଥିଲେ, ସମସ୍ତଙ୍କଠାରେ ଆଦରଣୀୟ ହୋଇଥିଲେ । ଜନ୍‌ସନ୍‌ଙ୍କୁ ସମସ୍ତେ ଧନୁର୍ଦ୍ଧର କରି ଜାଣିଥିଲେ । ତୁମ୍ଭେ ଜଣେ ସାମାନ୍ୟ କର୍ମଚାରୀ, ଡିପୋଟୀବାବୁଙ୍କ ସଙ୍ଗେ କଥା କହୁଅଛ, ଡିପୋଟୀବାବୁ ବନ୍ଧୁ ପ୍ରାୟ ତୁମ୍ଭକୁ ସମ୍ଭାଷଣ କରି ତୁମ୍ଭ ସଙ୍ଗେ କଥା କହୁଅଛନ୍ତି । ହଠାତ୍ ମେଜେଷ୍ଟର ସାହେବ ସେଠାକୁ ଆସିଲେ, ଡିପୋଟୀବାବୁଙ୍କର ସେହି ସମ୍ଭାଷଣ, ସେହି ହାସ୍ୟ ମୁହୂର୍ତ୍ତ ଭିତରେ ଉଲଟିଗଲା; ଆଉ ତୁମ୍ଭକୁ ଚାହିଁଲେ ନାହିଁ । ସାହେବଙ୍କୁ ସଲାମ୍ କରି ତାଙ୍କ ସଙ୍ଗେ କଥା କହିବାକୁ ଲାଗିଲେ, ଏମନ୍ତ ମୁଖଭଙ୍ଗି କଲେ ଯେ, ତୁମ୍ଭକୁ କେବେ ଦେଖି ନାହାନ୍ତି । ତୁମ୍ଭେ ବିରକ୍ତ ହେଲ । ମାତ୍ର ବିରକ୍ତ ହେବାର ଉଚିତ ନୁହେଁ । ଡିପୋଠୀ ମଉସୁଫଙ୍କର ଚାରା ନାହିଁ । ସାହେବଙ୍କ ମୂର୍ତ୍ତି ତାଙ୍କର ହୃଦୟଯାକ ଘୋଟିଲାଣି, ତୁମ୍ଭପାଇଁ ସ୍ଥାନ ନାହିଁ । ଡିପୋଟୀଙ୍କୁ ତୁମ୍ଭେ ଅଦୃଶ୍ୟ ହୋଇଅଛ । ସୂର୍ଯ୍ୟ ଉଠିଲେ ତାରାମାନେ ଆମ୍ଭକୁ ଅଦୃଶ୍ୟ ହୁଅନ୍ତି । ସାହେବ ଆସିଲାରୁ ଇତର ଲୋକ ଡିପୋଟୀଙ୍କୁ ଅଦୃଶ୍ୟ ହେଲେ । ତୁମ୍ଭର ଶୂଳରୋଗ ଅଛି, ସବୁଦିନ ସେହି ରୋଗରୁ କଷ୍ଟ ପାଉଅଛ । ହଠାତ୍ ଯେବେ ତୁମ୍ଭକୁ ଉତ୍କଟ ଜ୍ୱର ହେଲା, ଜ୍ୱର ଥିବାଯାଏ ଶୂଳର ଯାତନା ଜାଣି ପାରିବ ନାହିଁ । ୟାକୁ ସୁଦ୍ଧା ସେହିପରି ଜାଣିଥିବ ।

 

ପାଠକଙ୍କୁ ବିରକ୍ତ କରିବି ନାହିଁ । ପତ୍ର ଅବୟବକୁ ଚାହିଁ ଯଥେଷ୍ଟ ହୋଇଅଛି । କେହି ଅବା କହିବେ, ‘‘ବିଳମ୍ବରେ କ’ଣ ଶିକ୍ଷା ହୁଏ, ଏ ବିଷୟ ଘେନି ଉପଦେଶ ଦେଉଅଛନ୍ତି; ମାତ୍ର ତାହା ନୁହେ । ଏହି ପ୍ରବନ୍ଧ ପଢ଼ୁଁ ପଢ଼ୁଁ ନିଜ ଅବସ୍ଥା ନିଜ ଅନୁଭବ ସ୍ମରଣ କରି ତୁମ୍ଭ ମନରେ ଆହୁରି କେତେ କଥା ଉଦିତ ହୋଇଥିବ । ତୁମ୍ଭ ଜାଣିବାରେ ସେ ସବୁ କଥା ଲେଖିଥିଲେ ପ୍ରବନ୍ଧ ଆହୁରି ଭଲହୋଇଥାଆନ୍ତା ।

Image